
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ଭୁଲ୍ ମାନଚିତ୍ର ଦର୍ଶାଇ ପୁଣି ଅଡୁଆରେ ସୋସିଆଲ ମିଡିଆ କମ୍ପାନୀ ଟ୍ବିଟର। ଭାରତର ମାନଚିତ୍ରରୁ ଜମ୍ମୁ-କଶ୍ମୀରକୁ ଅଲଗା ଦେଖାଇବା ଘଟଣାରେ ବୁଲନ୍ଦସହରରେ ଟୁଇଟର୍ ଏମଡି ମନୀଷ ମହେଶ୍ୱରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଚଳିତ ମାସରେ ୟୁପିରେ ମନୀଷ ମହେଶ୍ୱରୀଙ୍କ ବିରୋଧରେ ଏହା ହେଉଛି ଦ୍ୱିତୀୟ ଏଫ୍ଆଇଆର୍। ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରିବା ପରେ ଟ୍ୱିଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାରି ଆଡ଼ୁ ଦାବି ହୋଇଛି । ତେବେ ପ୍ରବଳ ବିରୋଧ ପରେ ବିବାଦୀୟ ନକ୍ସାକୁ ହଟାଇ ଦେଇଛି ଟ୍ୱିଟର । ଏହା ପରେ ଟ୍ବିଟର ଏମଡିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଟ୍ୱିଟରର ଏମଡି ମାହେଶ୍ୱରୀଙ୍କ ବିରୋଧରେ ଆଇପିସି ଧାରା ୫୦୫ (୨) ଓ ଆଇଟି (ସଂଶୋଧିତ) ଆଇନ୍ ୨୦୦୮ର ଧାରା ୭୪ ଅନୁସାରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଯେ, ଟୁଇଟର୍ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନୁତନ ଆଇଟି ନିୟମକୁ ନେଇ ତିକ୍ତତା ଲାଗି ରହିଛି । ଦୁଇ ଦିନ ପୂର୍ବେ ଟ୍ୱିଟର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସଂସଦୀୟ କମିଟି ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଶଶି ଥରୁରଙ୍କ ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବ୍ଲକ୍ କରିଦେଇଥିଲା। ଏଥି ସହିତ, କିଛି ଦିନ ପୂର୍ବରୁ ଗାଜିଆବାଦରେ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ ମାରିବା ମାମଲାରେ ବିଭ୍ରାନ୍ତିକର ତଥ୍ୟ ବିସ୍ତାର ଅଭିଯୋଗରେ ଟ୍ବିଟର ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ବ୍ୟତୀତ ଟ୍ୱିଟର ଦ୍ବାରା କିଛି ଆରଏସଏସ ନେତାଙ୍କ ଭେରିଫାଏଡ୍ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଇବା ପରେ କେନ୍ଦ୍ର ସରକାର ଓ ସୋସିଆଲ ମିଡ଼ିଆ କମ୍ପାନି ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା । କେନ୍ଦ୍ର ସରକାରଙ୍କ ନୂତନ ଆଇଟି ନିୟମ ମେ ୨୬ ରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଟ୍ବିଟର ଗାଇଡଲାଇନ ପାଳନ କରିବାରେ ବିଳମ୍ବ କରିଥିଲା । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଳାଟ୍ଫର୍ମ ମଧ୍ୟରେ ଶୀତଳଯୁଦ୍ଧ ଲାଗି ରହିଛି।