ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେଜରିୱାଲଙ୍କ ପ୍ରଶ୍ନ : ” ଯଦି ପିଜା ହୋମ୍ ଡେଲିଭରୀ ହୋଇପାରୁଛି ତେବେ ରାସନ କାହିଁକି ନୁହେଁ ?”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେଜରିୱାଲ ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଡୋର୍ ଷ୍ଟେପ୍ ରାସନ୍ ଯୋଗାଣ ଯୋଜନା ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ପିଜା ହୋମ୍ ଡେଲିଭରୀ ହୋଇପାରିବ ତେବେ ରାସନ କାହିଁକି ନୁହେଁ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି ଯେ ରାସନ ମାଫିଆଙ୍କ ସୁରକ୍ଷା ଦେବାକୁ ଯାଇ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ରାଜଧାନୀରେ ଏଭଳି ଏକ କ୍ରାନ୍ତିକାରୀ ଯୋଜନା ଲାଗୁ ହୋଇପାରିଲା ନାହିଁ। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେଇନଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ ଆଇନ ଅନୁଯାୟୀ କୌଣସି ଅନୁମତି ନେବାର ଆବଶ୍ୟକତା ନଥିଲେ ମଧ୍ୟ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କ ଠାରୁ ପାଞ୍ଚ ଥର ଅନୁମୋଦନ ଲୋଡିଛନ୍ତି।
କେଜରିୱାଲ କହିଛନ୍ତି, “ପ୍ରଥମ ଥର ପାଇଁ ସରକାର ରାସନ ମାଫିଆଙ୍କୁ ମାତ୍ ଦେବା ପାଇଁ ଏକ ପଦକ୍ଷେପ ନେଇଥିଲେ। ଦେଖନ୍ତୁ ସେମାନେ(ରାସନ ମାଫିଆ) କେତେ ଶକ୍ତିଶାଳୀ ଯେ, ସେମାନେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଏକ ସପ୍ତାହ ପୂର୍ବରୁ ଏହାକୁ ରଦ୍ଦ କରିଦେଇଛନ୍ତି।” ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ସରକାର ସହ କେନ୍ଦ୍ର ସରକାରଙ୍କ ମୁହାଁମୁହିଁ ପରିସ୍ଥିତିକୁ ଦର୍ଶାଇ କେଜ୍ରିୱାଲ କହିଛନ୍ତି ଯେ ଏହି ମହାମାରୀକୁ ମୁକାବିଲା କରିବାରେ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ କେନ୍ଦ୍ର ରାଜନୀତି କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୋତେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଦିଅ, ମୁଁ ତୁମକୁ (ପିଏମ ମୋଦୀ) ପୂର୍ଣ୍ଣ ଶ୍ରେୟ ଦେବି। ରାସନ AAP କିମ୍ବା ବିଜେପିର ନୁହେଁ। ଲୋକମାନେ ଜାଣନ୍ତୁ ଯେ ମୋଦୀଜୀ ଏବଂ କେଜ୍ରିୱାଲ ଗରୀବ ଲୋକଙ୍କୁ ରାସନ ପ୍ରଦାନ କରିବାରେ ସାହାଯ୍ୟ କରିଛନ୍ତି। ଦିଲ୍ଲୀର ୭୦ ଲକ୍ଷ ଗରିବ ଲୋକଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଦିଅନ୍ତୁ ବୋଲି କେଜ୍ରିୱାଲ ଅନୁରୋଧ କରିଛନ୍ତି।

Related Posts