ବିବାଦ ବଢିବା ପରେ ନର୍ସଙ୍କ ପାଇଁ ମଲାୟାଲାମ୍ ବ୍ୟାନ୍ ସର୍କୁଲାର ହଟାଇଲା ଦିଲ୍ଲୀର ଜିବି ପନ୍ତ ହସ୍ପିଟାଲ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀର ଗୋବିନ୍ଦ ବଲ୍ଲଭ ପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ଜିପିଏମ୍ଆର୍) ତଥା ଜିବି ପନ୍ତ ହସ୍ପିଟାଲ୍ ନର୍ସଙ୍କୁ ହସ୍ପିଟାଲରେ କଥାବାର୍ତ୍ତା ବେଳେ ମାଲୟାଲମ ଭାଷା ବାଧ୍ୟତାମୂଳକକୁ ନେଇ ଜୋରଦାର ବିବାଦ ହୋଇଥିଲା। ବିଭିନ୍ନ ମହଲରୁ ଏଭଳି ସର୍କୁଲାର ବିରୋଧରେ ପ୍ରତିବାଦ ସ୍ୱର ଉଠିବା ପରେ ଏବେ ଏହି ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଛି। ଡାକ୍ତରଖାନାର ଡାକ୍ତରୀ ନିର୍ଦ୍ଦେଶକ ଡକ୍ଟର ଅନିଲ ଅଗ୍ରୱାଲ ରବିବାର ସକାଳେ ଏହି ଆଦେଶ ପ୍ରତ୍ୟାହାର କରିନେଇଛନ୍ତି। ଦିଲ୍ଲୀ ସରକାରଙ୍କ ଅଧିକାରୀମାନେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏ ନେଇ ତଦନ୍ତ କରାଯିବ। ସୂଚନାଯୋଗ୍ୟ ଯେ ଏହି GIPMER ରେ ୩୦୦ ରୁ ଅଧିକ ମାଲାୟାଲୀ ନର୍ସ ରହିଛନ୍ତି । ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଦ୍ବାରା ଜୁନ୍ ୫ ରେ ଜାରି କରାଯାଇଥିବା ଆଦେଶରେ କୁହାଯାଇଥିଲା ଯେ,” ନର୍ସିଂ ଷ୍ଟାଫମାନେ ପରସ୍ପର ସହ କଥା ହେବା ପାଇଁ ମାଲୟାଲମ ଭାଷା ବ୍ୟବହାର କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଏଭଳି କଥା ହେବା ଦ୍ୱାରା ରୋଗୀମାନେ ତାଙ୍କ କଥା ବୁଝିବାରେ ସମସ୍ୟା ହେଉଛି ।  ତେଣୁ ସମସ୍ତ ନର୍ସିଂ କର୍ମଚାରୀ ମାନେ କଥାବାର୍ତ୍ତା ହେବା ସମୟରେ କେବଳ ହିନ୍ଦୀ ଏବଂ ଇଂରାଜୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ” 

ଦିଲ୍ଲୀ ମାଲାୟାଲୀ ନର୍ସ ନାମକ ଏକ ୟୁନିଅନ ଗ୍ରୁପ ଟ୍ବିଟରରେ 

#RIGHT_TO_SPEAK_MALAYALAM’ ହ୍ୟାସଟ୍ୟାଗ ମାଧ୍ୟମରେ ଏକ କ୍ୟାମ୍ପେନ୍ ଆରମ୍ଭ କରିଥିଲେ। ତେବେ ଏଭଳି ସର୍କୁଲାର କୁ ନେଇ କେରଳର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟ୍ୟାଗ୍ କରି ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନଙ୍କ ଅଜାଣତରେ ଏଭଳି ସର୍କୁଲାର ଜାରି କରି ଦିଆଯାଇଥିଲା । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଶଶି ଥରୁର ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଭାଷାକୁ ନେଇ ଏଭଳି ଭେଦଭାବ ବିରୋଧରେ ସେ ସ୍ୱର ଉଠାଇଥିଲେ ।

Related Posts