ଅନୁଭବ ଜାଲି ଗ୍ରାଜୁଏଟ୍ ! କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଜଣକ ପରେ ଜଣେ ବିଜୁ ଜନତା ଦଳର ନେତା ଜାଲ୍ ସତ୍ୟପାଠକୁ ଦେଇ ଅଡୁଆରେ ପଡିବାକୁ ଯାଉଛନ୍ତି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପରେ ଏବେ କେନ୍ଦ୍ରପଡାର ସାଂସଦ ତଥା ସିନେତାରକା ଅନୁଭବ ମହାନ୍ତିଙ୍କ ପଡିଛି ପାଳି ।

୨୦୧୪ ମସିହାରେ ନିର୍ବାଚନୀ ସତ୍ୟପାଠ ଦାଖଲ ସମୟରେ ନିଜର ଶିକ୍ଷାଗତ ଯୋଗତ୍ୟାକୁ ଲୁଚାଇବା ସହ ଜାଲି ସାର୍ଟିଫିକେଟ ଦେଇଥିବାର କଥା ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ୨୦୧୪ ମସିହାରେ ଉତ୍ତରପ୍ରଦେଶର ମିରଟସ୍ଥିତ ଶୋଭିତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରୁ ପବ୍ଲିକ ଆଡମିନଷ୍ଟ୍ରେସନରେ ବି.ଏ ଅନର୍ସ ସହ ପାସ କରିଥିବାର ତଥ୍ୟ ଅନୁଭବ ଦେଇଛନ୍ତି । ସୂଚନାଯୋଗ୍ୟ ୨୦୧୦ ମସିହାରେ ଏହି କଲେଜର ସହବନ୍ଧନକୁ ଭାରତ ସରକାର ପ୍ରତ୍ୟାହାର କରିଥିବା କଥା ସତ୍ୟପାଠ ମାଧ୍ୟମରେ ମାନ୍ୟଵର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଏକଥା ଦର୍ଶାଯାଇଥିବା ବେଳେ ସାଂସଦ କିନ୍ତୁ ବି.ଏ ପାସ୍ ସାର୍ଟିଫିକେଟ୍ ହାସଲ କଲେ କିପରି ବୋଲି ପ୍ରଦେଶ କଂଗ୍ରେସ ପ୍ରଶ୍ନ କରିଛି । ଉତ୍କଳ ବିଶ୍ବବିଦ୍ୟାଳୟରୁ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟାନୁସାରେ ସାଂସଦ ଅନୁଭବ ମହାନ୍ତି କିନ୍ତୁ ଏବେବି କନ୍ଦରପୁର କଲେଜରେ ପଢୁଥିବାର ତଥ୍ୟ ମିଳିଛି । ସବୁଠାରୁ ମଜାକଥା ସାଂସଦ ପଢୁଥିବା ସମୟର ରେ.ନଂ-୧୪୧୦୮/୨୦୦୩ ରେ କୌଣସି ମାଇଗ୍ରେସନ ସାର୍ଟିଫିକେଟ୍ ଉତ୍କଳ ବିଶ୍ବବିଦ୍ୟାଳୟରୁ ମଧ୍ୟ ଇସୁ କରାଯାଇ ନାହିଁ। ଏଥିରୁ ବୁଝା ପଡୁଛି ଅନୁଭବ ବାବୁ ଏବେବି କନ୍ଦରପୁର କଲେଜର ଛାତ୍ର ହିସାବରେ ବି.ଏ ପାସ ନକରିଥିବାର ତଥ୍ୟ କହୁଛି । ଏକଦା ଏହି କଲେଜରେ ଚଞ୍ଚକତା କରି ଜାଲି ରିଫ୍ରେସର ସାର୍ଟିଫିକେଟ୍ ଦେଇ ତାଙ୍କ ପିତା ଅଭୟ କୁମାର ମହାନ୍ତି ଇଂରାଜୀ ବିଭାଗରେ ରିଡର ପଦକୁ ପଦୋନ୍ନତି ପାଇଥିଲେ ଆଉ ଏବେ ତାଙ୍କ ପୁଅଙ୍କ ନାମରେ ବାହାରିଛି ସାଙ୍ଘାତିକ ଠକେଇ ।

ପ୍ରଶ୍ନ ଉଠୁଛି ସାଂସଦଙ୍କ ଏଭଳି ଚଞ୍ଚକତା ପଛର କାରଣ କ’ଣ ହୋଇପାରେ ? ଶୁଣାଯାଉଛି ନିଜର ସମ୍ମାନ ଓ ସାମାଜିକ ମର୍ଯ୍ୟଦା ବଞ୍ଚାଇବାକୁ ଯାଇ ଯେନତେନ ପ୍ରକାରରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପୂର୍ବରୁ ବି.ଏ ସାର୍ଟିଫିକେଟ୍ ଟିକୁ ସାଂସଦ ହାସଲ କରିନେଇଥିଲେ । ସ୍ବଚ୍ଛ ନିର୍ମଳ ଶାସନର ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳର ଏହି ମିଛୁଆ ଜାଲି ନୀତି ନିର୍ଦ୍ଧାରକ ମାନେ ଏବେ ବିଧାନସଭା ଆଉ ସଂସଦରେ ପତିଆରା ଜମାଇବାରେ ଲାଗିଛନ୍ତି । ଏ ଘଟଣା କେନ୍ଦ୍ରପଡାର ସମ୍ମାନକୁ କେବଳ ମାଟିରେ ମିଶାଇ ନାହିଁ ବରଂ ଓଡିଶାର ସମ୍ମାନକୁ ଦିଲ୍ଲୀ ଦରବାରରେ ଅପମାନିତ କରିଛି ବୋଲି କଂଗ୍ରେସ କହିଛି। ଜଣେ ପରେ ଜଣେ ଜାଲି ନେତାଙ୍କୁ ନେଇ ବିଜେଡି ଅକଳରେ ପଡିଯାଇଥିବା ବେଳେ ଏ ସଂକ୍ରାନ୍ତରେ ଅଦ୍ୟାବଧି ନାଁ ସାଂସଦ ବା ବିଜେଡିର ପୋଷା ମୁଖପାତ୍ରମାନେ ମୁହଁ ଖୋଲୁନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ।

ଏଠାରେ ସ୍ମରଣଯୋଗ୍ୟ ସାଂସଦ ଅନୁଭବ ମହାନ୍ତି ବେଶ୍ କିଛି ଦିନ ମଧ୍ୟରେ ନିଜର ବିବାଦୀୟ କାର୍ଯ୍ୟ କଳାପକୁ ନେଇ ବେଶ୍ ଚର୍ଚ୍ଚାରେ ଥିବା ବେଳେ ଜାଲ୍ ସାର୍ଟିଫିକେଟ୍ ଘଟଣା ତାଙ୍କୁ ଅଧିକ ଅଡୁଆରେ ପକାଇପାରେ । ପ୍ରଦେଶ କଂଗ୍ରସ ତରଫରୁ କଂଗ୍ରେସ ନେତା ତଥା ପ୍ରାକ୍ତନ ପିସିସି ପ୍ରବକ୍ତା ନିଶିକାନ୍ତ ମିଶ୍ର ଆଜି କଂଗ୍ରେସ ଭବନରେ ଅନୁଭବଙ୍କ ଜାଲି ସାର୍ଟିଫିକେଟ ପ୍ରସଙ୍ଗର ଖୁଲାସା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। କଂଗ୍ରେସ ଆଜି ଅନୁଭବଙ୍କ ସଭ୍ୟପଦ ରଦ୍ଦ ପାଇଁ ସରକାରଙ୍କ ନିକଟରେ ଦାବିକରିଛି । ଏହା ମଧ୍ୟରେ ସାଂସଦଙ୍କ ନାଁରେ ଥାନାରେ ଏତାଲା ମଧ୍ୟ ଦିଆ ସରିଛି ।

Related Posts