ବିପ୍ଳବୀ କବିଙ୍କ ବିୟୋଗ

(ସତ୍ୟପାଠ ବ୍ୟୁରୋ) କଟକ: ଆଉ ନାହାନ୍ତି ବିପ୍ଳବୀ କବି ରବି ସିଂ । ୮୯ ବର୍ଷ ବୟସରେ କଟକ ନୂଆପଡ଼ା ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କଲେ । ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ରବି ସିଂଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତ ଜଣେ ଯୋଗଜନ୍ମାଙ୍କୁ ହରାଇଲା ବୋଲି ବହୁ ବିଶିଷ୍ଠ ବ୍ୟକ୍ତିମାନେ ମତ ଦେବା ସହ ଶୋକ ପ୍ରକାଶ କରିଛନ୍ତି ।

ବିପ୍ଳବୀ କବିଙ୍କ ସଫଳତା

ରବି ସିଂ ଏକାଧାରରେ ଥିଲେ କବି, ସମାଲୋଚକ ଓ ଓଜସ୍ୱୀ ବକ୍ତା । ନିଜର ନିର୍ଭୀକ ମତ, ବିଶ୍ବ ସମାଜବାଦୀ ଆନ୍ଦୋଳନରେ ତାଙ୍କ ଲେଖକୀୟ ଭୂମିକା ଓ  କବିତାରେ ଶାଣିତ ଦୃଷ୍ଟିଭଙ୍ଗୀ ଯୋଗୁଁ ଦଶନ୍ଧି ଦଶନ୍ଧି ଧରି ସେ ବେଶ୍ ଚର୍ଚ୍ଚିତ ଥିଲେ । ଅତ୍ୟନ୍ତ ଦୈନ୍ୟ ଜୀବନରୁ ସାହିତ୍ୟ ସୃଷ୍ଟି କରିଆସିଥିବା ରବି ସିଂ ନିରନ୍ତର ସଂଘର୍ଷ କରି ସେ ସାହିତ୍ୟାକାଶରେ ସାଜିଥିଲେ ଉଜ୍ଜ୍ବଳ ତାରକା ।

ତାଙ୍କର ବହୁଚର୍ଚ୍ଚିତ ଆତ୍ମଜୀବନୀ ‘ନିଃସଙ୍ଗ ପଦାତିକ’ କେବଳ ତାଙ୍କ ଜୀବନ ଧାରା ନୁହେଁ, ବରଂ ସମସାମୟିକ ରାଜନୀତି ଓ ସାହିତ୍ୟ ଜଗତ ଲାଗି ରହିବ ଚ଼ିର ଜୀବନ୍ତ । ତାଙ୍କୁ ୧୯୬୧ରେ ଓଡ଼ିଶା  ସାହିତ୍ୟ ଏକାଡେମୀ ପୁରସ୍କାର ଓ ୧୯୧୭ରେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା ।

ରବି ସିଂଙ୍କର ଅନ୍ୟ ପ୍ରସିଦ୍ଧ ପୁସ୍ତକ ଗୁଡ଼ିକ ହେଲା ‘ପଥ ପ୍ରାନ୍ତର କବିତା’, ‘ଚ଼ରମ ପତ୍ର’, ‘ଶିଥିଳ ବଲଗା’, ‘ଭୁକୁଟୀ’, ‘ବିଦୀର୍ଣ୍ଣ’, ‘ଅପ୍ରୀତିକର କବିତା’, ‘ଦୁର୍ଗମ ଗିରି‘, ‘ଝଡ଼’, ‘ସର୍ବହରା’ ଓ ‘ଅନାର୍ଯ୍ୟର ଚର୍ଯ୍ୟାପଦ’ । ଏଇ ପୁସ୍ତକଗୁଡ଼ିକ ବେଶ୍ ପାଠକୀୟ ପରିଚିତି ଲାଭ କରିଛି । ବହୁ ବିଶିଷ୍ଟ ବ୍ୟକ୍ତି ରବି ସିଂଙ୍କ ଶେଷ ଦର୍ଶନ କରିଛନ୍ତି । ସତୀ ଚଉରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହେବ ଶେଷକୃତ୍ୟ ।

Related Posts