ପିଏଫ୍‌ଆଇର ଧର୍ମଘଟକୁ କେରଳ ହାଇକୋର୍ଟଙ୍କ ଭର୍ତ୍ସନା, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଦେଲେ ନିର୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେରଳରେ ଆଜି ଆକସ୍ମିକ ଧର୍ମଘଟ ଡାକରା ଦେଇଛି ସଂଖ୍ୟାଲଘୁ ସଙ୍ଗଠନ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ର (ପିଏଫ୍‌ଆଇ)। ଏହି ବନ୍ଦ୍ ଡାକରାକୁ ନେଇ ପିଏଫ୍‌ଆଇ ନେତାମାନଙ୍କ ନାଁରେ ଆଜି କେରଳ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ପୂର୍ବରୁ ଅଦାଲତ ଧର୍ମଘଟ ନିଷେଧ କରିଥିଲେ ବୋଲି ଦର୍ଶାଇ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ, ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ଧର୍ମଘଟ ବେଳେ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଅପରାଧ।

ଏହାଛଡ଼ା, ଧର୍ମଘଟ ବେଳେ ଦିଆଯାଇ ଥିବା ବନ୍ଦ ଡାକରା ସମୟରେ ରାଜ୍ୟରେ ଘଟିଥିବା ହିଂସାକାଣ୍ଡ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଧର୍ମଘଟ କରିବା ନିମନ୍ତେ ଅନ୍ୟୂନ ୭ ଦିନ ପୂର୍ବରୁ ନୋଟିସ୍‌ ଜାରି କରିବା କଥା ବୋଲି ହାଇକୋର୍ଟ କହିଛନ୍ତି। ଆଜି ସକାଳୁ ‘ପିଏଫ୍‌ଆଇ’ ଆରମ୍ଭ କରିଥିବା ଧର୍ମଘଟ ବେଳେ କେରଳର ବିଭିନ୍ନ ପ୍ରାନ୍ତରେ ପଥର ଫିଙ୍ଗା ସମେତ ହିଂସାକାଣ୍ଡ ଘଟିଛି।

‘ପିଏଫ୍‌ଆଇ’ ସମର୍ଥକଙ୍କ ଆକ୍ରମଣ ଯୋଗୁଁ କୋଲ୍ଲାମ୍‌ରେ ଆଜି ସକାଳେ ୨ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଅଲୁବା ନିକଟ କମ୍ପାନିପଦିରେ ବନ୍ଦ ସମର୍ଥନକାରୀମାନେ ‘କେରଳ ରାଜ୍ୟ ସଡ଼କ ପରିବହନ ନିଗମ’ ଗୋଟାଏ ବସ୍‌ରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ସକାଳେ ଖବରକାଗଜ ନେଇ କନ୍ନୁର ଅନ୍ତର୍ଗତ ନାରାୟଣପଡ଼ାକୁ ଯାଉଥିବା ଗୋଟାଏ ଗାଡ଼ି ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗାଯାଇଥିଲା ବୋଲି ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଛି।

ସୂଚନାଯୋଗ୍ୟ ଯେ, ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସହଯୋଗ କରୁଥିବା କହି ଗୁରୁବାର ଦିନ ‘ଏନ୍‌ଆଇଏ’ ‘ପିଏଫ୍‌ଆଇ’ ନେତାମାନଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢଉ କରିବା ପରେ ଶତାଧିକ ନେତାଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦ ରେ ଆଜି ପିଏଫ୍‌ଆଇ ପକ୍ଷରୁ ରାଜ୍ୟ ବ୍ୟାପୀ ବନ୍ଦ୍ ଡାକରା ଦିଆଯାଇଛି ।

Related Posts