ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ) – ରାଗିଂ ପାଇଁ ୭ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ବହିଷ୍କାର । ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଜୁନିୟର କଲେଜର ୭ଜଣ ଛାତ୍ରଙ୍କୁ ସବୁଦିନ ପାଇଁ କ୍ୟାମ୍ପସରୁ ସସପେଣ୍ଡ କରାଯାଇଛି । କଲେଜର ଆଣ୍ଟି ରାଗିଂ କମିଟିର ସୁପାରିସ ଅନୁସାରେ କଲେଜ ଅଧ୍ୟକ୍ଷ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି ସେମାନେ କ୍ୟାମ୍ପସକୁ ଆସନ୍ତି ତେବେ ତାଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ରହିଛି ।
ତେବେ ଜଣେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗରେ କଲେଜ କର୍ତ୍ତୃପକ୍ଷ ୭ଜଣ ଛାତ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିଛନ୍ତି । ଅନ୍ୟପକ୍ଷରେ ରାଗିଂ କରିଥିବା ଛାତ୍ରମାନେ ଯଦି ଫର୍ମ ଫିଲ୍ ଅପ୍ କରିଛନ୍ତି ତେବେ ପରୀକ୍ଷା ଦେଇପାରିବେ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ସୂଚନାଏ ଅନୁସାରେ, ଗତମାସ ଖଲ୍ଲିକୋଟ ଜୁନିୟର କଲେଜର ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ଦ୍ୱିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଏମିତିକି ସମ୍ପୃକ୍ତ ଛାତ୍ରୀଙ୍କୁ ଉକ୍ତ ଛାତ୍ରମାନେ ପିଛା କରିବା ସହ କ୍ଲାସକୁ ଯିବା ବେଳେ ବି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିଲେ। ଏନେଇ ଛାତ୍ରୀଜଣକ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଛାତ୍ରୀଜଣଙ୍କୁ ଉକ୍ତ ଯୁବକମାନେ ବାରମ୍ବାର ଏପରି ହଇରାଣ କରୁଥିବାରୁ ପୂର୍ବରୁ ୧୦ଜଣ ଛାତ୍ରଙ୍କୁ ଚିହ୍ନଟ କରି ୧୦ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରିଥିଲେ କଲେଜ କର୍ତ୍ତୃପକ୍ଷ। ଏହାପରେ ବି ସେମାନଙ୍କ ଆଚରଣ ଓ ବ୍ୟବହାରରେ କୌଣସି ସୁଧାର ନ ଆସିବାରୁ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥର ସେମାନଙ୍କୁ କଲେଜ କ୍ୟାମ୍ପସ୍ ବାରଣ କରି ଦିଆଯାଇଛି।
