ଭୁବନେଶ୍ୱର,୧୩/୨(ସତ୍ୟପାଠ ବ୍ୟୁରୋ): ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ୬୮ କିମି ରେଳ ଲାଇନ ପାଇଁ ଜଙ୍ଗଲ ଜମିକୁ ଅନୁମୋଦନ ମିଳିଛି। ପୁରୁଣା କଟକରୁ ଦଶପାଲା ଯାଏଁ ୬୮ କିଲୋମିଟର ଜଙ୍ଗଲ ଜମିକୁ ଜଙ୍ଗଲ ବିଭାଗ ଅନୁମତି ପ୍ରଦାନ କରିଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ୬୮କିମି ରେଳ ଲାଇନ କାମ ପାଇଁ ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହିତ, ଜଙ୍ଗଲ ଅନୁମତି ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
୨୦୧୯ ମସିହା ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ପଟୁ ବିଛୁପାଲି ଯାଏ ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ । ଏହାରି ଭିତରେ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ଷ୍ଟେସନ ଯାଏ ଟ୍ରାଏଲ୍ ରନ୍ ସରିଛି । ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪୯ କିମି ରେଳପଥ ନିର୍ମାଣ ହେବାକୁ ଥିବାବେଳେ ପ୍ରାୟତଃ ଜମି ଅଧିଗ୍ରହଣ ସରିଯାଇଛି । ବୌଦ୍ଧ ଜିଲ୍ଲାରେ ୧୧୦ କିମି ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ଘରୋଇ ଜମି, ସରକାରୀ ଜମିର ଅଧିଗ୍ରହଣ ସରିଛି । ସେପଟେ ନୟାଗଡ଼ ପଟରୁ ନୂଆଗାଁ, ମହୀପୁର ଯାଏ ଟ୍ରେନ୍ ଗଡ଼ିଛି । ମଝିରେ କେବଳ ଜଙ୍ଗଲ ଜମି ହିଁ ପ୍ରକଳ୍ପ ପାଇଁ ବଡ଼ ସମସ୍ୟା ଥିଲା । ବିଶେଷକରି ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ଚାରିଛକରୁ ଦଶପଲ୍ଲା ଯାଏ ଜଙ୍ଗଲ ଜମି ଅନୁମୋଦନ ପାଇନଥିଲା । ଯାହାକୁ ଏବେ ଜଙ୍ଗଲ ଅନୁମତି ମିଳିସାରିଛି। ଏବେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଦ୍ରୁତଗତିରେ ଆଗେଇବ ବୋଲି ଆଶା କରାଯାଉଛି ।
ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପ ବଲାଙ୍ଗୀର, ସୁବର୍ଣ୍ଣପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ । ପଶ୍ଚିମ ଓ ଉପକୂଳ ଓଡ଼ିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ । ୧୯୯୪-୯୫ରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିଲେ ମଧ୍ୟ ଜଙ୍ଗଲ ମଞ୍ଜୁରି ସହ ଅନ୍ୟାନ୍ୟ ସମସ୍ୟା ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିଲା । ୨୦୧୪-୧୫ ଆର୍ଥିକ ବର୍ଷରୁ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି । ଏବେ ସୁଦ୍ଧା ୩୦୧ କିମି ମଧ୍ୟରୁ ୧୧୫ କିମି ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି । ଖୋର୍ଦ୍ଧାରୋଡ ପାର୍ଶ୍ୱରୁ ନୂଆଗାଁଠାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଝରତରଭାରୁ ଖମ୍ବେଶ୍ୱରପାଲି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।
