(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବିଜେପି ପକ୍ଷରୁ ଆରମ୍ଭ କରାଯାଇଥିବା ଜନ ଆଶୀର୍ବାଦ ଯାତ୍ରାର ପ୍ରଥମ ଦିନରେ ଦୁଇ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସିଛନ୍ତି । ତେବେ ଆସୁ ଆସୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ ଘୋଷଣା କରିଛନ୍ତି । ତେବେ ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ପୁରୀକୁ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ ବୋଲି କହିଛନ୍ତି ଅଶ୍ୱିନୀ । ଏହାସହ ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଓ ଜଗନ୍ନାଥ ସଂସ୍କୃତି ସହ ଯୋଡି ହୋଇ ରହିଥିବାରୁ ରେଳପଥର ବିକାଶ ପାଇଁ ପୁରୀ-କୋଣାର୍କ ରେଳ ଲାଇନର ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ପଦକ୍ଷେପ ନେବ ବୋଲି କହିଛନ୍ତି ଅଶ୍ୱିନୀ ।
କେବଳ ଏତିକି ନୁହେଁ ବରଂ ଶ୍ରୀକ୍ଷେତ୍ର ପୁରୀ ସହ ସାଂସ୍କୃତିକ ଓ ଓଡ଼ିଶାବାସୀଙ୍କ ଭାବାବେଗ ଯୋଡି ହୋଇ ରହିଥିବାରୁ ଏଠାରେ କଣ ବିକାଶ କରାଯାଇପାରିବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ସେହିପରି ଶିକ୍ଷା କ୍ଷେତ୍ରରେ ସାକ୍ଷୀଗୋପାଳ ବକୁଳବନ ଏକ ସ୍ୱତନ୍ତ୍ର ଭୂମିକା ସୃଷ୍ଟି କରିଥିବାରୁ ଏଠାରେ ହେବାକୁ ଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟରେ ରାଜ୍ୟକୁ କେନ୍ଦ୍ର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଏହାସହ ରାଜ୍ୟର ୫୦ହଜାର ଗାଁକୁ ଇଂଟରନେଟ ସୁବିଧା ଯୋଗାଇ ଦିଆଯିବ ଏବଂ ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରାଯିବ ପାଇଁ ଉଦ୍ୟମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ପୁରୀ ଗସ୍ତରେ ଥିବା ଦୁଇ କେନ୍ଦ୍ରୀୟ ନେତା ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ପତିତପାବନଙ୍କ ଦର୍ଶନ କରିଛନ୍ତି ।