ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଏମସିର ତାଗିଦକୁ ବେଖାତିର କରିବା ପରେ ଆଜି ଭଙ୍ଗା ଯାଇଛି କିଶୋର ଭାଇନା ମଟନ ହୋଟେଲ । ଏହି ଭଙ୍ଗା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ। ସେ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ହୋଟେଲକୁ ଭଙ୍ଗା ଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ବିଏମସି କମିଶନର କହିଛନ୍ତି ଯେ କିଶୋର ମଟନ ହୋଟେଲକୁ ନେଇ ବହୁତ ଅଭିଯୋଗ ଆସିଥିଲା । ଏହାସହ ତାଙ୍କ ହୋଟେଲ ଯୋଗୁଁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥିଲା । ସେଥିପାଇଁ ଦୋକାନକୁ ଉଚ୍ଛେଦ କରାଯାଇଥିବା କହିଛନ୍ତି କମିଶନର । ତେବେ କେବଳ କିଶୋର ହୋଟେଲ ନୁହେଁ, ବରଂ ଯେଉଁସବୁ ସ୍ଥାନରେ ଏଭଳି ସମସ୍ୟା ଥିବ, ସେଠାରେ ମଧ୍ୟ ଆଗକୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି । ଏପରିକି ଅନ୍ୟ ଦୋକାନୀମାନେ ସଠିକ୍ ଢଙ୍ଗରେ ଦୋକାନ ଖୋଲିବାକୁ ଚେତାବନୀ ଦେଇଛନ୍ତି ବିଏମସି କମିଶନର ।

ସୂଚନାଯୋଗ୍ୟ ଯେ, ବୁଧବାର ଖାଦ୍ୟମାନ ଯାଞ୍ଚ ପରେ ବିଏମସି ପକ୍ଷରୁ କିଶୋର ମଟନ ହୋଟେଲକୁ ସିଲ କରାଯାଇଥିଲା । ହେଲେ ସିଲ ସତ୍ତ୍ୱେ ଗୁରୁବାର ଏହି ମଟନ ହୋଟେଲ ଖୋଲିଥିଲା । ପୂର୍ବ ଦିନ ଭଳି ଲୋକେ ଯାଇ ସେଠାରେ ମଟନ କିଣିବା ସହ ଦୋକାନରେ ବସି ଖାଇଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି ଏହି ହୋଟେଲଟିକୁ ଭାଙ୍ଗି ଦିଆଯାଇଛି।