ଖରାପ ପ୍ରଦର୍ଶନ ଯୋଗୁଁ ଟେଷ୍ଟ ଦଳର ଉପଅଧିନାୟକ ପଦ ହରାଇଲେ କେଏଲ ରାହୁଲ

ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ବିସିସିଆଇ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ବର୍ଡର ଗାଭାସ୍କାର ଟ୍ରଫିର ତୃତୀୟ ଏବଂ ଚତୁର୍ଥ ମ୍ୟାଚ୍ ପାଇଁ ଟିମ୍ ଘୋଷଣା କରିଛି । ଭାରତୀୟ ଟିମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ବ୍ୟାଟର କେଏଲ ରାହୁଲ ଠାରୁ ଟେଷ୍ଟ ଦଳର ଉପଅଧିନାୟକ ଦାୟିତ୍ୱ ଛଡାଇ ନିଆଯାଇଛି ।ଚାରି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ପୂର୍ବରୁ ବିସିସିଆଇ ରାହୁଲଙ୍କୁ ଉପଅଧିନାୟକ ଘୋଷଣା କରିଥିଲା । କିନ୍ତୁ ଏବେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ରାହୁଲଙ୍କ ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । ଯାହାକୁ ନେଇ କେବଳ ରାହୁଲ ନୁହନ୍ତି ବରଂ ଟିମ୍ ମ୍ୟାନେଜମେଣ୍ଟ ଏବଂ ବୋର୍ଡ ମଧ୍ୟ ଏବେ ପ୍ରଶ୍ନ ଘେରରେ ଅଛି । ପୂର୍ବତନ କ୍ରିକେଟରଙ୍କ ସହ କ୍ରିକେଟ୍ ବିଶେଷଜ୍ଞ ମଧ୍ୟ ଏହା ଉପରେ ଅନେକ ପ୍ରତିକ୍ରିୟା ରଖିଛନ୍ତି ଏବଂ ଶୁଭମନ ଗିଲଙ୍କୁ ଟିମରେ ସ୍ଥାନ ଦେବା ପାଇଁ ଯୁକ୍ତି ରଖିଛନ୍ତି ।

କେ.ଏଲ ରାହୁଲ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇ ଟେଷ୍ଟ ମ୍ୟାଚରେ ଓପନର ଭାବେ ତିନି ଇନିଂସରେ ମାତ୍ର ୩୮ ରନ କରିଥିଲେ । ରାହୁଲ ଏକ ବର୍ଷରୁ ଅଧିକ ସମୟ ଧରି ଟେଷ୍ଟରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରି ନାହାନ୍ତି । ୨୦୨୨ରେ ଜୋହାନ୍ସବର୍ଗରେ ଦ.ଆଫ୍ରିକା ବିପକ୍ଷରେ ଶେଷ ଥର ଅର୍ଦ୍ଧଶକତ ହାସଲ କରିଥିଲେ । ୨୦୧୪ ଡିସେମ୍ୱରରେ ଡେବ୍ୟୁ କରିଥିବା ରାହୁଲ ୪୭ଟି ଟେଷ୍ଟରେ ୩୩.୪୪ ହାରରେ ୨୬୪୨ ରନ କରିଛନ୍ତି । ଏଥିରେ ୭ ଶତକ ଏବଂ ୧୩ ଅର୍ଦ୍ଧଶତକ ରହିଛି ।

Related Posts