ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ହାତୀଦାନ୍ତ ରାକେଟ । କମିସନରେଟ୍ ପୋଲିସ ଭୁବନେଶ୍ଵରରେ ହାତୀଦାନ୍ତ କାରବାର କରୁଥିବା ଏକ ରାକେଟକୁ ଠାବ କରିଛି । ମୈତ୍ରୀ ବିହାର ପୋଲିସ ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୩କିଲୋ ଓଜନର ହାତୀ ଦାନ୍ତ ଜବତ ହୋଇଛି । ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି ।ଦୁଇ ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲାର ଗିରୀଶ କୁମାର ନାୟକ ଓ ଦୀପକ ସାହୁ । ଦୁହିଁଙ୍କ ଠାରୁ ପୋଲିସ ଏକ ବାଇକ ଓ ୩ଟି ମୋବାଇଲ ମଧ୍ୟ ଜବତ କରିଛି ।

ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ଧାରା ୫୧ରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତ ଦୁଇଜଣଙ୍କୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ମୈତ୍ରୀ ବିହାର ଆଇଆଇସି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ଏହି ରାକେଟରେ ଆହୁରି ଅନେକ ସାମିଲ ଥିବା ସନ୍ଦେହ କରାଯାଉଛି । ତେଣୁ ବନବିଭାଗ ସେମାନଙ୍କୁ ଅଧିକ ପଚରାଉଚରା କରୁଛି । ମୈତ୍ରୀ ବିହାର ଥାନା ପୋଲିସ ପାଟ୍ରୋଲିଂ କରିବା ବେଳେ ହାତୀ ଦାନ୍ତ କାରବାର ନେଇ ସୂଚନା ପାଇଥିଲା । ତେଣୁ ସୈନିକ ସ୍କୁଲ ନିକଟରେ ପୋଲିସ ବ୍ଲକିଂ କରି ଛକି ରହିଥିଲା । ଅଭିଯୁକ୍ତ ମାନେ ସେହି ବାଟ ଦେଇ ଏକ ମୋପେଡରେ ହାତୀଦାନ୍ତ ନେଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଛି ।