8.40 କୋଟିରେ ବିକ୍ରି ହୋଇଥିବା ବରୁଣ ଚକ୍ରବର୍ତ୍ତୀ, 2019 ଆଇପିଏଲ୍‌ର ରହସ୍ୟ ପ୍ରତିଭାଙ୍କୁ ଜାଣନ୍ତୁ

ବରୁଣଙ୍କ ଜୀବନ ଓ ସଂଘର୍ଷର କାହାଣୀ ସିନେମା କାହାଣୀଠାରୁ କମ୍‌ ନୁହେଁ । ପେଷା ବଦଳରେ ନିଶାକୁ ଦେଲେ ପ୍ରାଧାନ୍ୟ । ନିଜ ମନର କଥା ଶୁଣି ରାତାରାତି ପାଲଟିଗଲେ ଫେମସ୍‌ ।

ଆଇପିଏଲ୍‌ ନିଲାମି ପରେ ରାତାରାତି ଷ୍ଟାର୍‌ ପାଲଟି ଯାଇଛନ୍ତି ତାମିଲନାଡୁର କ୍ରିକେଟର ବରୁଣ ଚକ୍ରବର୍ତ୍ତୀ । ପେଷା ବଦଳରେ ନିଶାକୁ ଗୁରୁତ୍ବ ଦେଇ ଫେମସ୍‌ ହେବା ସହ କୋଟିପତି ପାଲଟି ଯାଇଛନ୍ତି ୨୭ ବର୍ଷୀୟ ବରୁଣ । ଆଇପିଏଲ୍‌ ନିଲାମିରେ ତାଙ୍କର ବେସ୍‌ ପ୍ରାଇସ୍‌ ଥିଲା ମାତ୍ର ୨୦ ଲକ୍ଷ । କିନ୍ତୁ ସେ ବିକ୍ରି ହେଲେ ୮ କୋଟି ୪୦ ଲକ୍ଷରେ ।

କିଙ୍ଗସ ଇଲେଭେନ ପଞ୍ଜାବ ପକ୍ଷରୁ ଏଥର ଆଇପିଏଲ୍‌ ଖେଳିବେ ବରୁଣ । ବରୁଣଙ୍କ କାହାଣୀ କୌଣସି ସିନେମାର କାହାଣୀଠାରୁ କମ୍‌ ନୁହେଁ । ୭ ବର୍ଷ କ୍ରିକେଟରୁ ଦୂରରେ ରହିବା ପରେ ବି ସେ କେବଳ କ୍ରିକେଟ୍‌ ମଇଦାନକୁ ଫେରିଲେ ତାହା ନୁହେଁ, ବରଂ ସମସ୍ତଙ୍କୁ ଚମକାଇ ଦେଲେ । ଦ୍ବାଦଶ ଶ୍ରେଣୀ ପଢ଼ିବା ପରେ ସେ କ୍ରିକେଟ୍‌ ଛାଡ଼ି ପାଞ୍ଚ ବର୍ଷ ଆର୍କିଟେକ୍‌ଚର୍‌ ପାଠ ପଢ଼ିଲେ ।

ତା ପରେ ୨ ବର୍ଷ ଚାକିରି କଲେ । କିନ୍ତୁ ଚାକିରିରେ ମନ ଲାଗିଲାନି । ପୁଣି ପେରିଲେ କ୍ରିକେଟ୍‌ ମଇଦାନକୁ । ଆରମ୍ଭରୁ ପେସ୍‌ ବୋଲିଂ କରୁଥିବା ଅଲ୍‌ରାଉଣ୍ଡର ବରୁଣ ଗୋଡ଼ରେ ଆଘାତ ଜନିତ ସମସ୍ୟା ଯୋଗୁଁ ୬ ମାସ ବିଶ୍ରାମ ନେଲେ । କିନ୍ତୁ କ୍ରିକେଟ୍‌କୁ ଫେରିଲେ ତ ଏଥର କଲେ ସ୍ପିନ୍‌ ବୋଲିଂ । ଆଉ ସେହି ସ୍ପିନ୍‌ ହିଁ ତାଙ୍କୁ ଦେଲା ସ୍ବତନ୍ତ୍ର ପରିଚୟ ।

ଛୋଟ କ୍ଲବ ଅଭ୍ୟାସ ପରେ ଚେନ୍ନାଇ ସୁପରକିଙ୍ଗସ୍‌ ଓ କୋଲକାତା ନାଇଟରାଇଡର୍ସର ଖେଳାଳିଙ୍କୁ ଆଇପିଏଲ୍‌ ସମୟରେ ନେଟ୍‌ସରେ ବୋଲିଂ କରିବାର ସୁଯୋଗ ପାଇଥିଲେ ବରୁଣ । ଆଉ ତା’ପରେ ବଦଳି ଯାଇଥିଲା ତାଙ୍କ ଭାଗ୍ୟ । ଏବେ ଆଠ ପ୍ରକାର ବୋଲିଂ କରିପାରିବେ ବୋଲି ଦାବି କରନ୍ତି ବରୁଣ ।

ଏବର୍ଷ ହିଁ ରଣଜୀ ଓ ବିଜୟ ହଜାରେ ଖେଳ ଆରମ୍ଭ କରିଥିଲେ ବରୁଣ । ସେ ଭାବୁଥିଲେ ଆଇପିଏଲ୍‌ ନିଲାମିରେ ବେସ୍‌ ପ୍ରାଇସ୍‌ରେ ହିଁ ବିକ୍ରି ହେଲେ ବଡ଼ କଥା ହେବ । କିନ୍ତୁ ତାଙ୍କୁ ମିଳିଛି ୮ କୋଟି ୪୦ ଲକ୍ଷ ଟଙ୍କା ।

Related Posts