କୃଷ୍ଣ ଜନ୍ମଭୂମି ମାମଲା; ମସଜିଦ ସର୍ଭେ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଥୁରାର କୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦଗାହ ମସଜିଦର ସର୍ଭେକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସ୍ଥଗିତ ରଖିବା ସହ କହିଛନ୍ତି ଯେ ଏହି ସର୍ଭେ ପାଇଁ ଜଣେ ଆଡ୍‌ଭୋକେଟ୍‌-କମିସନର ନିଯୁକ୍ତ କରିବା ପାଇଁ ହିନ୍ଦୁ ପକ୍ଷ କରିଥିବା ଆବେଦନ ଅତ୍ୟନ୍ତ ଅସ୍ପଷ୍ଟ ଏବଂ ଏହି ମାମଲାରେ କେତେକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସମସ୍ୟା ମଧ୍ୟ ଉପୁଜିଛି।

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ହିନ୍ଦୁପକ୍ଷର ଆବେଦନ ଅତ୍ୟନ୍ତ ଅସ୍ପଷ୍ଟ। ଏହା ନିର୍ଦ୍ଦିଷ୍ଟ ହେବା ଦରକାର। ଆପଣ କ’ଣ ପାଇଁ କମିସନର ନିଯୁକ୍ତ କରିବାକୁ ଚାହୁଛନ୍ତି ତାହା ଆପଣଙ୍କୁ ସ୍ପଷ୍ଟ କରିବାକୁ ପଡିବ, କିନ୍ତୁ ଆପଣ ଏହାକୁ ଅଦାଲତ ଉପରେ ଛାଡି ଦିଅନ୍ତୁ।

ମସଜିଦ ସର୍ଭେ ତଦାରଖ ପାଇଁ ଜଣେ ଆଡ୍‌ଭୋକେଟ୍‌-କମିସନର ନିଯୁକ୍ତ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟ ଡିସେମ୍ବର ୧୪ରେ ଦେଇଥିବା ଆଦେଶ ଉପରେ ରୋକ ଲଗାଇ ଖଣ୍ଡପୀଠ କହିଛନ୍ତି ଯେ ହିନ୍ଦୁ ଅଭିଯୋଗକାରୀଙ୍କ ଆବେଦନରେ ଏହି ଆବେଦନ ପଛର ଯୁକ୍ତି ଦର୍ଶାଯାଇ ନାହିଁ। ଏହି ମାମଲାରେ ହିନ୍ଦୁ ଅଭିଯୋଗକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନଙ୍କୁ ଖଣ୍ଡପୀଠ କହିଛନ୍ତି ଯେ, ଆପଣ ଏଭଳି ଏକ ଏକଚାଟିଆ ଆବେଦନ କରିପାରିବେ ନାହିଁ। ଦିବାନ ଏହି ଆଦେଶ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଜାରି କରିବାକୁ ବିରୋଧ କରିଥିବା ବେଳେ ହାଇକୋର୍ଟଙ୍କୁ ଅତି କମ୍‌ରେ ସର୍ଭେର ରୂପରେଖ ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି। ଏହାର ଉତ୍ତରରେ ଖଣ୍ଡପୀଠ କହିଲେ ଯେ କମିସନକୁ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ଇଦଗାହ କମିଟି ଏବଂ ଉତ୍ତରପ୍ରଦେଶ ସୁନ୍ନି ୱକଫ ବୋର୍ଡ ପକ୍ଷରୁ ଆଇନଜୀବୀ ତସନିମ୍ ଅହମଦୀ ମାମଲା ପରିଚାଳନା କରିଥିଲେ। ମଥୁରାର ବିଭିନ୍ନ ସିଭିଲ୍ କୋର୍ଟରୁ କୃଷ୍ଣ ଜନ୍ମସ୍ଥାନ-ଶାହି ଇଦଗାହ ଜମି ବିବାଦ ସମ୍ପର୍କିତ ପ୍ରାୟ ୧୮ଟି ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରୁଥିବା ଅନ୍ୟ ଏକ ମାମଲାର ଶୁଣାଣି ଜାନୁଆରି ୨୩ତାରିଖରେ ହେବ ବୋଲି ଖଣ୍ଡପୀଠ କହିଛନ୍ତି।

Related Posts