ଅଲବତ ନେବି ଟିକଟ : କୃଷ୍ଣ ଶଗରିଆ

ଭୁବନେଶ୍ୱର- ପିସିସିକୁ ନାଲିଆଖି ଦେଖାଇଛନ୍ତି କୃଷ୍ଣ ଶଗରିଆ । ଖାଲି ପାଠ ତ ପଢ଼ାଇ ନାହାଁନ୍ତି ଯାହା ନ କହିବା କଥା ତାହା ବି କହିଛନ୍ତି । ନିରଂଜନଙ୍କ ପଦେକୁ ଆଙ୍କର ଦି ପଦ । ଆଜି ସକାଳେ କୃଷ୍ଣଙ୍କୁ ଟିକଟ ନମିଳିପାରେ ବୋଲି ସମ୍ଭାବନାର ଚିହ୍ନ ଆଙ୍କିଥିବା ନିରଂଜନଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି କୃଷ୍ଣ । ସେ ଅଲବତ କଂଗ୍ରେସ ଟିକଟରେ ଲଢ଼ିବେ ବୋଲି କହିବା ସହ ନିରଂଜନ ପଟ୍ଟନାୟକ ହିଁ କଂଗ୍ରେସକୁ ଖତମ କରିବାକୁ ଚାହୁଁଛନ୍ତି କହି ଏକ ବଡ ବିବାଦ ଛିଡା କରାଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ।

କୁନ୍ଦୁଲି ଗଣ ଦୁଷ୍କର୍ମ ଅଭିଯୋଗ ମାମଲାରେ ନୈତିକତା ଦୃଷ୍ଟିରୁ ଗଲଶ ଅକ୍ଟୋବରରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଶଗରିଆ । ଏହାପରେ ବିରୋଧୀ ଦଳ ନେତା ଓ ନିରଂଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ଏବେ ପୁଣି ଶଗରିଆଙ୍କ ନିଶାନାରେ ନିରଂଜନ । ଶଗରିଆ ନିଜ ଆଚରଣରେ ସୁଧାର ନ ଆଣିଲେ ତାଙ୍କୁ ଟିକଟ ନ ମିଳିପାରେ ବୋଲି ନିରଂଜନ ମିଡିଆକୁ କହିବା ପରେ ଖପ୍ପା ହୋଇଛନ୍ତି କୃଷ୍ଣ । ସିଧା ସିଧା ମୁହଁରେ ବାଡେଇ କହିଛନ୍ତି ଟିକଟ ଦେବା ନଦେବା କାମ ଏଆଇସିସିର । ପିସିସି କେବଳ ସୁପାରିଶ କରିପାରେ । କିନ୍ତୁ ନିଷ୍ପତି ନେବ ଦିଲ୍ଲୀ ଦରବାର ।

ଖାଲି ସେତିକି ନୁହେଁ, ନିରଂଜନ ନିଜ ଭାଇ ସୌମ୍ୟଙ୍କ ସହ ହାତ ମିଳାଇ କଂଗ୍ରେସକୁ ଖତମ କରିବାକୁ ଚାହୁଁଛନ୍ତି ବୋଲି ବିସ୍ଫୋରକ ବୟାନ ରଖିଛନ୍ତି କୃଷ୍ଣ । ନିରଂଜନ ହିଁ କଂଗ୍ରେସକୁ ଖତମ କରୁଛନ୍ତି କହି ଟାର୍ଗେଟ କରିଛନ୍ତି ଶଗରିଆ । ସେ କଂଗ୍ରେସ ଟିକଟରେ ହିଁ ନିର୍ବାଚନ ଲଢ଼ିବେ ଓ କିଏ ତାଙ୍କ ଟିକଟ କାଟିବ ବୋଲି ପ୍ରଶ୍ନ କରି ପିସିସି ମୁଖିଆଙ୍କୁ ଅଠାକାଠିରେ ପକାଇ ଦେଇଛନ୍ତି ପୂର୍ବତନ ବିଧାୟକ ।

ମୁଁ ତ କଂଗ୍ରେସରୁ ଲଢ଼ିବି । ହେଲେ ବଡ ଦଳ ବିରୋଧୀ ନିରଂଜନ ବାବୁଙ୍କ ଟିକଟ ଆଗେ କଟିବା କଥା ବୋଲି କହି ଉଭୟ କଂଗ୍ରେସ ଓ ନିରଂଜନଙ୍କୁ ତେରଛା ବାଣରେ ଘାଇଲା କରିଛନ୍ତି କୃଷ୍ଣ ଶଗରିଆ ।

Related Posts