ନୋଟରେ ଗାନ୍ଧିଜୀଙ୍କ ସହ ଛପଯାଉ ଲକ୍ଷ୍ମୀ-ଗଣେଶଙ୍କ ଫଟୋ; ପ୍ରଧାନମନ୍ତ୍ରୀଙ୍କୁ ଅପିଲ କଲେ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରୁଛି କି ଭାରତୀୟ ନୋଟ ଉପରେ ଗାନ୍ଧିଜୀଙ୍କ ସହ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ଛପଯାଉ। ଏହା ଦ୍ୱାରା ସୁଖ ଏବଂ ସମୃଦ୍ଧି ଆସିବ ଓ ସମଗ୍ର ଦେଶବାସୀ ସେମାନଙ୍କ ଆଶୀର୍ବାଦ ପାଇବେ ବୋଲି କେଜ୍ରିୱାଲ କହିଛନ୍ତି।

ଏହି ବ୍ୟବସ୍ଥା ନୂଆ ଛପା ହେବାକୁଥିବା ନୋଟରୁ ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଦେଶର ଅର୍ଥନୀତି ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି, ଡଲାର ତୁଳନାରେ ଟଙ୍କା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଉଛି। ଏହି କ୍ଷେତ୍ରରେ ସୁଧାର ପାଇଁ ଇଶ୍ବରଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଦେଶର ଦୁର୍ବଳ ଅର୍ଥନୀତିର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ସ୍ପଷ୍ଟ ଦେଖାଯାଉଛି। ଏହି କାରଣରୁ ସାଧାରଣ ଲୋକ ଯନ୍ତ୍ରଣା ଭୋଗୁଛନ୍ତି। ଆମେ ଚାହୁଁ ଭାରତ ଏକ ଧନୀ ଦେଶ ଭାବେ ପରିଗଣିତ ହେଉ, ଲୋକମାନେ ଧନୀ ହୁଅନ୍ତୁ। ଏଥିପାଇଁ ଆମକୁ ଅନେକ ପଦକ୍ଷେପ ନେବାକୁ ପଡିବ। ଆମକୁ ଦେଶରେ ଡାକ୍ତରଖାନା, ବହୁ ସଂଖ୍ୟାରେ ବିଦ୍ୟାଳୟ ଖୋଲିବାକୁ ପଡିବ। ଏଥିପାଇଁ ଏବେ ଭିତ୍ତିଭୂମି ପ୍ରସ୍ତୁତି କରିବାର ଅବଶ୍ୟକତା ରହିଛି।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଯେତେବେଳେ ଆମକୁ ଭଗବାନଙ୍କ ଆଶୀର୍ବାଦ ମିଳିବ ସେତେବେଳେ ଆମର ଉଦ୍ୟମ ସଫଳ ହେବ। ଅନେକ ଥର ଏହା ଘଟେ ଯେ କଠିନ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳେ ନାହିଁ। ଏଭଳି ସମୟରେ, ଇଶ୍ବରଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ। ଯେତେବେଳେ ଦେବତାମାନଙ୍କର ଆଶୀର୍ବାଦ ମିଳେ, ସୁଫଳ ମିଳିବା ଆରମ୍ଭ ହୋଇଥାଏ ବୋଲି କେଜ୍ରିୱାଲ କହିଛନ୍ତି।

Related Posts