ଟି-୨୦ ବିଶ୍ୱକପ୍; ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ରାମ ନେଇ ପାରନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଷ୍ଟ୍ରେଲିଆରେ ଚାଲିଛି ଫଟାଫଟ କ୍ରିକେଟ। ଟି-୨୦ ବିଶ୍ୱକପ୍ ଆରମ୍ଭ ହୋଇଥିବା ବେଳେ ଏହାର କ୍ରେଜ୍ ଏବେ ବିଶ୍ବବ୍ୟାପୀ ରହିଛି। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ଏହି ବିଶ୍ୱକପ୍ ରେ ନିଜର ଅଭିଯାନ ଆରମ୍ଭ କରିଛି। ନିଜର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ପ୍ରଥମ ମ୍ୟାଚରେ ହରାଇ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଦଳ। ଏହାପରେ ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି। ଏହି ମ୍ୟାଚ୍ ଆସନ୍ତା ୨୭ ତାରିଖରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ ରେ ଖେଳାଯିବ। ତେବେ ଏହି ମ୍ୟାଚରେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ମିଳିପାରେ। ପାକିସ୍ତାନ ବିପକ୍ଷ ମୁକାବିଲାରେ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଆଗକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ରହିଛି। ତେଣୁ ଏହା ପୂର୍ବରୁ ପାଣ୍ଡ୍ୟାଙ୍କୁ ଆବଶ୍ୟକ ମୁତାବକ ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଯୋଜନା କରୁଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ସିଡନୀରେ ଗତକାଲି ଭାରତୀୟ ଦଳ ଅଭ୍ୟାସ କରିଥିଲା। ହେଲେ ଏହି ଅଭ୍ୟାସ ସମୟରେ ପାଣ୍ଡ୍ୟା ହୋଟେଲରେ ବିଶ୍ରାମ ନେଇଥିଲେ। ପାକିସ୍ତାନ ମ୍ୟାଚରେ ତାଙ୍କୁ ଆଘାତ ଲାଗିଥିଲା। ତେବେ ସେ ମ୍ୟାଚ ଖେଳିବାକୁ ଯଦି ଫିଟ ଅନୁଭବ ନ କରନ୍ତି ତାଙ୍କୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ବିଶ୍ରାମ ଦିଆଯିବ ବୋଲି ଜଣାପଡ଼ିଛି।

Related Posts