ତାଳଚେରରେ ମାଟି ଦବିଲା : ଘର ଛାଡ଼ି ରାସ୍ତାରେ ଲୋକେ, ତାଳଚେର ବନ୍ଦ ଡାକରା

କିଛିଦିନ ପରେ ତାଳଚେର ସହରରେ ପୁଣି ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି । ପୁଣି ମାଟି ଦବି ଯାଇଛି । ପୂର୍ବ ଭଳି ଚାଷ ଜମିରେ ନୁହେଁ, ବରଂ ଜନଗହଳିପୂର୍ଣ୍ଣ ସହର ଅଞ୍ଚଳରେ ଘଟିଛି ଏହି ଘଟଣା । ଫଳରେ, ଭୟରେ ଲୋକେ ଘରଦ୍ବାର ଛାଡ଼ି ରାସ୍ତା ଉପରକୁ ପଳାଇ ଆସିଛନ୍ତି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସ୍ଥାନୀୟ ବାସିନ୍ଦା ତାଳଚେର ବନ୍ଦ ଡାକରା ଦେଇଛନ୍ତି ।

ବୁଧବାର ରାତି ପ୍ରାୟ ୭ଟା ୪୫ରୁ ୮ଟା ମଧ୍ୟରେ ଏହି ଘଟଣା ଘଟିଥିଲା । ତାଳଚେର ଥାନା ଆଗରେ ଥିବା ସ୍ବର୍ଗତ ରବି ବାଇଙ୍କ ଘର ଭିତରେ ହଠାତ୍ ପ୍ରାୟ ୫ ଫୁଟ ଲମ୍ବ ଓ ୬ ଫୁଟ ଚଉଡ଼ାର ମାଟି ଦବି ଯାଇଥିଲା । ଗାତଟି ଭିତରକୁ ଅଧିକ ଓସାରିଆ ହୋଇ ପାଖ ଘର ଆଡ଼କୁ ଲମ୍ବିଯାଇଥିଲା । ଉଭୟ ପରିବାର ଲୋକେ ପ୍ରଥମେ କିଛି ବୁଝି ପାରିନଥିଲେ । ତେବେ ଫାଟ ଧୀରେ ଧୀରେ ବଢ଼ି ମାଟି ଦବିବାରୁ ଲୋକେ ଆତଙ୍କିତ ହୋଇ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପହଞ୍ଚିଥିଲେ । ରାତିରେ ଫାଟ ବଢୁଥିବାରୁ ଆଖପାଖ ପରିବାର ମଧ୍ୟ ଆତଙ୍କିତ ହୋଇ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲେ ।

ଖବର ପାଇ ସହରର ବିଭିନ୍ନ ଅଂଚଳରୁ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ଫଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ପୂର୍ବରୁ ଗତ ମାର୍ଚ୍ଚ ୨୦ ତାରିଖରେ ବାଇପାସ୍‌ ଟ୍ରାଫିକ ଛକଠାରେ ଏହିପରି ଗାତ ସୃଷ୍ଟି ହୋଇଥିଲା । ପୂର୍ବରୁ ମଧ୍ୟ ଦେଉଳବେଡା, ଶିରିଡି ସାଇ ମନ୍ଦିର ସମ୍ମୁଖ ଅଞ୍ଚଳ, ନୂଆ ବସଷ୍ଟାଣ୍ଡ ପାଖ, ହାଣ୍ତିଧୂଆଁ ଗାଁ ଜମିରେ ବି ଗାତ ସୃଷ୍ଟି ହୋଇ ସହରବ୍ୟାପୀ ଆତଙ୍କ ଖେଳାଇଥିଲା ।

୧୯୨୮ ମସିହାରୁ ତାଳଚେର ପୌରାଞ୍ଚଳ ଅନ୍ତର୍ଗତ ଦେଉଳବେଡ଼ା ଭୂତଳ କୋଇଲା ଖଣିରୁ କୋଇଲା ଉତ୍ତୋଳନ ଆରମ୍ଭ କରାଯାଇଥିଲା । କୋଇଲା ଉତ୍ତୋଳନ ପରେ ଖାଲି ସ୍ଥାନରେ ସଂପୂର୍ଣ୍ଣ ବାଲି ଭର୍ତ୍ତି କରାଯିବାର ନିୟମ ରହିଛି । କିନ୍ତୁ ଏମିତି କରାଯାଇ ନଥିବାରୁ ଅତୀତରେ ସହରର ବିଭିନ୍ନ ସ୍ଥାନ ଦବି ଯାଇଥିବା ଦେଖାଯାଇଛି ।

Related Posts