ଜାପାନ ଉପକୂଳ ନିକଟରେ ହୋଇଛି ଏକ ଭୟଙ୍କର ବିମାନ ଦୁର୍ଘଟଣା । ଆକାଶରେ ଉଡୁଥିବା ଅବସ୍ଥାରେ ଇନ୍ଧନ ଭରିବା ବେଳେ ଆମେରିକା ବାୟୁସେନାର ଦୁଇଟି ବିମାନ ପରସ୍ପର ଭିତରେ ଧକ୍କା ଖାଇଛନ୍ତି । ଫଳରେ ଆମେରିକା ନୌସେନାର ୬ ଜଣ ଯବାନ ନିଖୋଜ ଅଛନ୍ତି ।
ଆମେରିକାର ଦୁଇଟି ମେରାଇନ୍ କର୍ପସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଆମେରିକାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜାପାନ ଉପକୂଳଠାରୁ ୩୨୨ କିଲୋମିଟର୍ ଦୂର ସମୁଦ୍ର ଉପରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ କେସି-୧୩୦ ହର୍କ୍ୟୁଲେସ୍ ବିମାନ ଆଉ ଗୋଟିଏ ଏଫ୍-ଏ-୧୮ ହର୍ଣ୍ଣେଟ୍ ଲଢୁଆ ଜେଟ୍ ବିମାନରେ ଇନ୍ଧନ ଭରୁଥିଲା । ଉଭୟ ବିମାନ ଇଓ୍ଵାକୁନି ସ୍ଥିତ ମେରାଇନ୍ କର୍ପସ୍ ଏୟାର୍ ଷ୍ଟେସନ୍ରୁ ଉଡ଼ାଣ ଆରମ୍ଭ କରିଥିଲେ ।
ଜାପାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜାପାନ ନୌବାହିନୀ ଦୁର୍ଘଟଣା ସମୟରେ ବିମାନ ଦୁଇଟିରେ ଥିବା ୭ ଜଣ ଆମେରିକୀୟ ନୌବାହିନୀର ସଦସ୍ୟଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଛନ୍ତି । ତଲାସୀ ଓ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି ।