କାନ୍ଧରେ କୋକେଇ ଧରିଲେ ସଚିନ୍‌ ତେନ୍ଦୁଲକର, କ୍ରିକେଟ୍‌ର ‘ଗୁରୁ ଦ୍ରୋଣ’ଙ୍କୁ ଅନ୍ତିମ ବିଦାୟ

ଆଚରେକର କେବଳ ସଚିନ୍‌ଙ୍କୁ ନୁହେଁ, ବିନୋଦ କାମ୍ବଲି, ଅଜିତ୍‌ ଅଗରକର, ଚନ୍ଦ୍ରକାନ୍ତ ପଣ୍ଡିତ ଓ ପ୍ରବୀଣ ଆମରେଙ୍କ ଭଳି ବଡ଼ କ୍ରିକେଟରଙ୍କୁ ସୃଷ୍ଟି କରିଛନ୍ତି ।

କ୍ରିକେଟ୍‌ର ଗୁରୁ ଦ୍ରୋଣ କୁହାଯାଉଥିବା, ଦେଶ ଓ ଦୁନିଆକୁ କ୍ରିକେଟ୍‌ର ଭଗବାନ ସଚିନଙ୍କୁ ଦେଇଥିବା ରମାକାନ୍ତ ଆଚରେକରଙ୍କର ଅନ୍ତିମ ସତ୍କାର କରାଯାଇଛି । ମୁମ୍ବାଇରେ ଗୁରୁବାର ତାଙ୍କର ଶେଷକୃତ୍ୟ ହୋଇଛି । ଏହି ସମୟରେ ସଚ୍ଚିନ ତେନ୍ଦୁଲକରଙ୍କ ସମେତ ବହୁ ଖ୍ୟାତନାମା କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସଚିନ ଅନ୍ୟମାନଙ୍କ ସହ ନିଜ ଗୁରୁଙ୍କ କୋକେଇକୁ କାନ୍ଧରେ ବୋହି ନେଇଥିଲେ ।

ଆଚରେକର 87 ବର୍ଷ ବୟସରେ ବୁଧବାର ସଂଧ୍ୟା 6.30ରେ ଦାଦର ସ୍ଥିତ ନିଜ ବାସଗୃହରେ ଅନ୍ତିମ ଶ୍ବାସ ନେଇଥିଲେ । ସେ କିଛି ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ଥିଲେ । ସଚିନ, ପ୍ରବୀଣ ଆମରେ, ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସମେତ ବହୁ କ୍ରିକେଟର ନିଜ ଗୁରୁଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ପହଞ୍ଚିଥିଲେ ।

ନିଜ ପିଲା ଦିନର କୋଚଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇ ସଚିନ ତେନ୍ଦୁଲକର ଟ୍ବିଟ୍‌ କରିଛନ୍ତି, ଲେଖିଛନ୍ତି, ‘‘ଆଚରେକର ସାର୍‌ଙ୍କ ଉପସ୍ଥିତି ଫଳରେ ସ୍ବର୍ଗରେ ବି କ୍ରିକେଟ୍‌ ଧନ୍ୟ ହୋଇଯାଇଥିବ । ତାଙ୍କର ବହୁ ଛାତ୍ରଙ୍କ ଭଳି ମୁଁ ବି କ୍ରିକେଟ୍‌ର ଏବିସିଡି ସାର୍‌ଙ୍କ ମାର୍ଗଦର୍ଶନରେ ଶିଖିଛି । ମୋର ଜୀବନରେ ତାଙ୍କର ଯୋଗଦାନକୁ ଶବ୍ଦରେ ବୟାନ କରାଯାଇପାରିବ ନାହିଁ । ସେ ରଖିଥିବା ଭିତ୍ତି ଉପରେ ହିଁ ମୁଁ ଛିଡ଼ା ହୋଇଛି ।’’ ଆଚରେକର ହିଁ ତେନ୍ଦୁଲକରଙ୍କର ବ୍ୟାଟିଂର ମହାନତାକୁ ଖୋଜି ଭାରତକୁ ଏମିତି ଚମତ୍କାର ଖେଳାଳି ଦେଇଥିଲେ ।

1932ରେ ଜନ୍ମ ହୋଇଥିବା ଆଚରେକର ଯଦିଓ ଜଣେ ସଫଳ କ୍ରିକେଟର ହୋଇପାରିଲେ ନାହିଁ । କିନ୍ତୁ କୋଚ୍‌ ଭାବେ ସେ ସବୁଠାରୁ ଅଧିକ ସଫଳ ହୋଇଥିଲେ । କ୍ରିକେଟ୍‌ କୋଚିଂରେ ନିଜ ସେବା ପାଇଁ ତାଙ୍କୁ ୧୯୯୦ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ୨୦୧୦ ଏପ୍ରିଲ୍‌ ୭ରେ ପଦ୍ମଶ୍ରୀରେ ସମ୍ମାନିତ କରାଗଲା । 2010 ଫେବ୍ରୁୟାରୀ 12ରେ ତାଙ୍କୁ ଭାରତୀୟ କ୍ରିକେଟ୍‌ ଟିମ୍‌ର ତତ୍କାଳୀନ କୋଚ୍‌ ଗ୍ୟାରୀ କ୍ରିଷ୍ଟନ୍‌ ‘ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ’ ପୁରସ୍କାରରେ ସମ୍ମାନିତ କଲେ ।

ଆଚରେକର କେବଳ ସଚିନ୍‌ଙ୍କୁ ନୁହେଁ, ବିନୋଦ କାମ୍ବଲି, ଅଜିତ୍‌ ଅଗରକର, ଚନ୍ଦ୍ରକାନ୍ତ ପଣ୍ଡିତ ଓ ପ୍ରବୀଣ ଆମରେଙ୍କ ଭଳି ବଡ଼ କ୍ରିକେଟରଙ୍କୁ ସୃଷ୍ଟି କରିଛନ୍ତି ।

Related Posts