ଓକିଲ ଆନ୍ଦୋଳନ ପ୍ରସଙ୍ଗ: ସ୍ଥିତି ଅନୁଧ୍ୟାନ ପାଇଁ ୨୭ରେ ସମ୍ବଲପୁର ଗସ୍ତରେ ଯିବ ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ନିଜ ଦାୟିତ୍ୱ ତୁଲାଇ ନାହାନ୍ତି। ରାଜ୍ୟ ସରକାରଙ୍କ ବିଳମ୍ବ ନୀତି କାରଣରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା ଓ ହିଂସା ଉପୁଜିଲା। ସମ୍ବଲପୁରରେ ଯେଉଁ ପରିସ୍ଥିତି ଉପୁଜିଲା, ତାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା। ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଥିଲେ ଏଭଳି ପରିସ୍ଥିତି ହୋଇନଥାନ୍ତା ବୋଲି ବିଜେପି ଅଭିଯୋଗ ଆଣିଛି।

ସମ୍ବଲପୁରରେ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତିର ଅନୁଧ୍ୟାନ ପାଇଁ ଆସନ୍ତା ୨୭ତାରିଖରେ ବିଜେପିର ୫ ଜଣ ସାଂସଦ ଓ ୭ଜଣ ବିଧାୟକଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତରେ ଯିବ। ସେମାନେ ଗିରଫ ହୋଇ ଜେଲ୍‌ରେ ଥିବା ଓକିଲମାନଙ୍କୁ ଭେଟିବା ସହ ବିଭିନ୍ନ ଓକିଲ ସଂଘର ପଦାଧିକାରୀ, ପ୍ରତିନିଧି ଏବଂ ସ୍ଥାନୀୟ ବିଭିନ୍ନ ନାଗରିକ ସଂଗଠନର କର୍ମକର୍ତ୍ତାଙ୍କୁ ମଧ୍ୟ ଭେଟିବେ। ଏହାସହ ସ୍ଥାନୀୟ କୋର୍ଟର ବିଚାରପତିମାନଙ୍କୁ ଭେଟିବା ସହ ଘଟଣା ସଂପର୍କରେ ସମ୍ବଲପୁର ଜିଲ୍ଲା ଓ ପୁଲିସ ପ୍ରଶାସନ ସହ ଆଲୋଚନା କରିବେ।

ଏନେଇ ବିଜେପି ପକ୍ଷରୁ କୁହାଯାଇଛି ଯେ, ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦେଇନାହାନ୍ତି। କେନ୍ଦ୍ର ସରକାର ବହୁବାର ସଂସଦରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏପରିକି କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠିର ଉତ୍ତର ମଧ୍ୟ ରାଜ୍ୟ ସରକାର ଦେଇନାହାନ୍ତି। ରାଜ୍ୟ ସରକାରଙ୍କ ନିରବତା ଏବଂ ନିଷ୍ଠାର ଅଭାବ କାରଣରୁ ଗତ ୧୨ତାରିଖରେ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନରତ ଅନେକ ଆଇନଜୀବୀଙ୍କୁ ପୁଲିସ ଗିରଫ କରିଛି। ଅନେକ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଏହି କାରଣରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏବେ ବି ମୁଖ୍ୟମନ୍ତ୍ରୀଙ୍କ ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ତେଣୁ ସମ୍ବଲପୁରର ଓକିଲ ଆନ୍ଦୋଳନ ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳି ସମ୍ବଲପୁର ଗସ୍ତ କରିବ। ଏହି ପ୍ରତିନିଧି ଦଳରେ ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା କୁମାରୀ ସିଂହଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ବିଧାୟକ ନାଉରୀ ନାଏକ, ଭବାନୀଶଙ୍କର ଭୋଇ, ସୁବାସ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ, ଶଙ୍କର ଓରାମ, କୁସୁମ ଟେଟେ ପ୍ରମୁଖ ଅଛନ୍ତି।

Related Posts