ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ହେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ, ଆଜି ନେବେ ଶପଥ

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’। ରବିବାର ଅପରାହ୍ନ ସୁଦ୍ଧା ଶେର୍ ବାହାଦୂର ଦେଉବା ହିଁ ନେପାଳର ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା। କିନ୍ତୁ ଶେଷରେ ବାଜି ମାରିନେଇଛନ୍ତି ପୁଷ୍ପ କମଲ ଦହଲ। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ରବିବାର ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ନିଯୁକ୍ତ କରିଛନ୍ତି। ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ପ୍ରଚଣ୍ଡ ଆଜି ପ୍ରଧାନମନ୍ତ୍ରୀ ପଦର ଶପଥ ନେବେ ବୋଲି ସୂଚନା ମିଳିଛି।

ନେପାଳରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ପରେ କୌଣସି ରାଜନୈତିକ ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ। କିନ୍ତୁ ଏକ ନାଟକୀୟ ଘଟଣା କ୍ରମେ ବିରୋଧୀ ସିପିଏନ୍‌-ୟୁଏମ୍‌ଏଲ୍‌ ଏବଂ ଅନ୍ୟାନ୍ୟ ଛୋଟ ଦଳ ରବିବାର ପ୍ରଚଣ୍ଡକୁ ସମର୍ଥନ ଦେବାକୁ ରାଜି ହୋଇଥିଲେ। ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଲେଖିଥିବା ପତ୍ରରେ ପ୍ରଚଣ୍ଡ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ସ୍ୱାଧୀନ ସାଂସଦଙ୍କ ସମେତ ୧୬୯ ସାଂସଦଙ୍କ ସମର୍ଥନ ସେ ପାଇଛନ୍ତି। ତେବେ ମେଣ୍ଟର ନିଷ୍ପତ୍ତି ଅନୁସାରେ, ପ୍ରଚଣ୍ଡ ଓ ଓଲି ପାଳି କରି ପ୍ରଧାନମନ୍ତ୍ରୀ ରହିବେ । ବର୍ତ୍ତମାନ ପ୍ରଥମ ପାଳି ପ୍ରଚଣ୍ଡଙ୍କର ପଡ଼ିଛି ।୨୦୨୫ରେ କେପି ଶର୍ମା ଓଲି ନେପାଳର ପ୍ରଧାନମନ୍ତ୍ରୀ ହେବେ।

ଏହା ପରେ ରାଷ୍ଟ୍ରପତି ତାଙ୍କୁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି। ନେପାଳ ସମ୍ବିଧାନର ଧାରା ୭୬ ଓ ଉପଧାରା ୨ ଅନୁଯାୟୀ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି। ସୋମବାର ନବନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ସିପିଏନ-ୟୁଏମଏଲ ଅଧ୍ୟକ୍ଷ କେ ପି ଶର୍ମା ଓଲି, ରାଷ୍ଟ୍ରିୟ ସ୍ୱତନ୍ତ୍ର ପାର୍ଟି (ଆରଏସପି)ର ସଭାପତି ରବି ଲାମିଚାନେ, ରାଷ୍ଟ୍ରିୟ ପ୍ରଜାତନ୍ତ୍ର ପାର୍ଟିର ମୁଖ୍ୟ ରାଜେନ୍ଦ୍ର ଲିଙ୍ଗଡେନଙ୍କ ଓ ଅନ୍ୟ ନେତାଙ୍କ ସହ ପ୍ରଚଣ୍ଡ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୨୭୫ସଦସ୍ୟ ବିଶିଷ୍ଟ ନେପାଳ ଲୋକସଭାରେ ସଂଖ୍ୟାଗରିଷ୍ଠତା ପାଇଁ ଭୋଟ କରାଯାଇଥିବା ବେଳେ ପ୍ରଚଣ୍ଡଙ୍କୁ ୧୬୫ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା।

Related Posts