ବୀରଭୂମ ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ବିଧାନସଭାରେ ଶାସକ ବିରୋଧୀ ଦଳର ନେତା ଧସ୍ତାଧସ୍ତି; ଶୁଭେନ୍ଦୁ ଅଧିକାରୀଙ୍କ ସମେତ ନିଲମ୍ବିତ ହେଲେ ୫ ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୀରଭୂମି ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ବିଧାନସଭାରେ ଶାସକ ବିରୋଧୀ ଦଳର ନେତା ଧସ୍ତାଧସ୍ତିର ଖବରକୁ ନେଇ ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ତେବେ ବୀରଭୂମ ହିଂସା ଘଟଣାକୁ ନେଇ ବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତାମାନେ ଗୃହରେ ହଙ୍ଗାମା କରିଥିଲେ। ଏହାପରେ ଉଭୟ ଟିଏମ୍ସି ଓ ବିଜେପି ନେତାଙ୍କ ମଧ୍ୟରେ ହଟ୍ଟଗୋଳ ହୋଇଥିଲା। ଏମିତିକି ଧସ୍ତାଧସ୍ତି ଓ ମାର୍ପିଟ୍ ହେବାର ମଧ୍ୟ ଭିଡିଓ ସାମ୍ନାକୁ ଆସିଛି। ଆଜି ବିଧାନସଭା ବଜେଟ୍ ଅଧିବେସନର ଶେଷ ଦିନ ଥିବା ବେଳେ ଗୃହରେ ବୀରଭୁମ ହିଂସା ଘଟଣା କଥା ଉଠାଇଥିଲା ବିଜେପି। ରାଜ୍ୟରେ ଆଇନ୍ଶୃଙ୍ଖଳା କଥା ଉଠାଇ ଟିଏମ୍ସି ସରକାରଙ୍କୁ ପ୍ରଶ୍ନ କରିଥିଲା। କିନ୍ତୁ ସରକାରୀ ପକ୍ଷ ଏ ବିଷୟରେ ଆଲୋଚନା ନେଇ ସମ୍ପୂର୍ଣ୍ଣ ମନା କରିଦେବା ପରେ ବିରୋଧ ତେଜିଥିଲା। ସେପଟେ ଏହି ଘଟଣାରେ ୫ ବିଧାୟକ ନିଲମ୍ବିତ ହୋଇଛନ୍ତି । ଏହି ବିଧାୟକଙ୍କ ମଧ୍ୟରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ରହିଛନ୍ତି।

ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ସୋମବାର ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ ବିଜେପି ବିଧାୟକମାନଙ୍କୁ ନିଲମ୍ବିତ କରିଛନ୍ତି। ଏସବୁ ମଧ୍ୟରେ ସବୁଠାରୁ ରୋଚକ କଥାଟି ହେଉଛି ବିଜେପି ଅଭିଯୋଗ କରିଛି ଯେ ବିଧାୟକମାନଙ୍କ ସହିତ ମାର୍ପିଟ କରିବା ପାଇଁ ଟିଏମ୍ସି ପୁଲିସ ଡାକିଥିଲା। ମାରପିଟ କରିବା ପାଇଁ ସେମାନେ ସାଧାରଣ ଲୋକଙ୍କ ବେଶରେ ଆସିଥିଲେ। ଏହା ପ୍ରାୟୋଜିତ ଥିଲା ବୋଲି ବିଜେପି ଅଭିଯୋଗ କରିବା ସହିତ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ଲୋଡ଼ିଛି। ବିଜେପି ନେତା ଅମୀତ ମାଲବ୍ୟ ଟ୍ୱିଟ୍ କରିଥିବା ଏକ ଭିଡିଓରେ ବିଧାୟକମାନ ପରସ୍ପରକୁ ଠେଲାପେଲା କରିବା ସହିତ ଗୃହରେ ହୋହଲ୍ଲା କରୁଥିବାର ଦେଖାଯାଉଛି। ଏହି ଘଟଣାରେ ରାଜ୍ୟ ବିଜେପି ନେତମାନେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି। ଏନେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଜାଣିଶୁଣି ଏଭଳି କରାଯାଇଛି। ମୁଁ ଏନେଇ ବାଚସ୍ପତିକୁ ଚିଠି ଲେଖିବି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts