କଂଗ୍ରେସରୁ ଆସିଥିବା ନେତାଙ୍କୁ ବିଜେପିରେ ବଡ ଦାୟିତ୍ବ; ଅମରିନ୍ଦର ଓ ସୁନୀଲଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାମିଲ କଲା ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସରୁ ଆସିଥିବା ନେତାଙ୍କୁ ଭାରତୀୟ ଜନତା ପାର୍ଟିରେ ବଡ ଦାୟିତ୍ବ। ବିଜେପି ଆଜି ପୂର୍ବତନ କଂଗ୍ରେସ ନେତା ଜୟବୀର ଶେର୍ଗିଲଙ୍କୁ ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛି। ଏଥି ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ସୁନୀଲ ଜାଖଡ଼ଙ୍କୁ ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇଛି। ଦୀର୍ଘ ଦିନ ଧରି ଉଭୟ ନେତା କଂଗ୍ରେସରେ ଥିଲେ। ଏହା ବ୍ୟତୀତ ଉତ୍ତରପ୍ରଦେଶ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କୁ ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସଦସ୍ୟ କରାଯାଇଛି।

ସେହିପରି ବିଜେପି ଉତ୍ତରାଖଣ୍ଡ ବିଜେପିର ପୂର୍ବତନ ସଭାପତି ମଦନ କୌଶିକ, ଛତିଶଗଡ ବିଜେପିର ପୂର୍ବତନ ସଭାପତି ବିଷ୍ଣୁଦେବ ସାୟ ଏବଂ ପଞ୍ଜାବ ବିଜେପିର ପୂର୍ବତନ ସଭାପତି ମନୋରଂଜନ କାଲିଆଙ୍କୁ ଜାତୀୟ କାର୍ଯ୍ୟକାରିଣୀ କମିଟିର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଦଳ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେବ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୦୨୨ରେ ଜୟବୀର କଂଗ୍ରେସରୁ ଇସ୍ତଫା ଦେଇଥିଲେ | ଜୟବୀର ଶେର୍ଗିଲ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ଦଳର ନେତାମାନେ ତୃଣମୂଳ ସ୍ତରୀୟ ନେତା ଓ ସମସ୍ୟାକୁ ଅବହେଳା କରୁଛନ୍ତି। ସେହିପରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ୧୮ ସେପ୍ଟେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାର ୪୦ ଦିନ ପରେ, ନଭେମ୍ବର ୨୦୨୧ରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ ଅମରିନ୍ଦର ସିଂ। କ୍ୟାପଟେନଙ୍କ ଲୋକ କଂଗ୍ରେସ ପାର୍ଟି ବିଜେପି ସହିତ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲା ​​କିନ୍ତୁ ତାଙ୍କ ଦଳ ସଫଳ ହୋଇନଥିଲା।

Related Posts