ଗୋପାଳପୁର ଥାନା ଅଧିକାରୀଙ୍କ ମାଡ଼ରେ ଲହୁଲୁହାଣ ହେଲେ କନ୍ଧମାଳର ବ୍ୟବସାୟୀ

ଘୁ.ଉଦୟଗିରି: ଗଂଜାମ ଜିଲ୍ଲା ଗୋପାଳପୁର ଥାନା ପୁଲିସ ଅଧିକାରୀ କୌଣସି କାରଣ ନ ଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କୁଆଡେ କିଛି ପୁଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ରାଇକିଆ ସହରର କନ୍ୟାଶ୍ରମ ରୋଡରେ ରହୁଥିବା କପଡ଼ା ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ ଘରେ ପଶି ସାହି ଲୋକଙ୍କ ବାରଣ ସତ୍ୱେ ତାଙ୍କୁ ବଳପୂର୍ବକ ଉଠାଇ ଗୋପାଳପୁର ଥାନାକୁ ନେଇ ସେଠାରେ ନିସ୍ତୁକ ମାଡ଼ ମାରିଛନ୍ତି । ଫଳରେ ସେ ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଓ ପରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଗୋପାଳପୁର ପୁଲିସର ଏଭଳି ଅମାନବୀୟ କାର୍ଯ୍ୟକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ସୁମନ୍ତ କନ୍ଧମାଳ ଏସପି ବିନୀତ ଅଗ୍ରୱାଲଙ୍କୁ ଭେଟି ଜଣାଇଥିଲେ। କନ୍ଧମାଳ ଏସପି ଅଗ୍ରୱାଲଙ୍କ ନିର୍ଦେଶରେ ରାଇକିଆ ଥାନା ଅଧିକାରୀ ରମାକାନ୍ତ ପାତ୍ର ବର୍ତ୍ତମାନର ଗୋପାଳପୁର ଥାନା ଅଧିକାରୀ ଓ ପୂର୍ବତନ ରାଇକିଆ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ଓ ସ୍ମୃତିରେଖା ସାହୁଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡିଛି। ପୁଲିସ ମାଡରେ ଆହତ ସୁମନ୍ତଙ୍କ ସ୍ତ୍ରୀ ସୁଭଦ୍ରା କୁମାରୀ ଚନ୍ଦନ ରାଇକିଆ ଥାନାରେ ଏତଲା ଦେଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ରାଇକିଆ ଅଞ୍ଚଳର ସ୍ମୃତିରେଖା ସାହୁ ନାମକ ଜଣେ ମହିଳାଙ୍କ ଠାରୁ ବ୍ୟବସାୟୀ ସୁମନ୍ତ ପାଖାପାଖି ଚାରି ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିଲେ। ଆଉ ସୁଧ ସହ ଫୋନ ପେ’, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଫେରାଇଥିଲେ। ତେବେ ଭୁଲ ବଶତଃ ଧାର ଆଣିବା ବେଳେ କରିଥିବା ଏଗ୍ରିମେଣ୍ଟ ପେପର ସ୍ମୃତିରେଖାଙ୍କ ଠାରୁ ଆଣି ନ ଥିଲେ। ଫଳରେ ତାର ସୁଯୋଗରେ ସ୍ମୃତି ପୁଣି ଟଙ୍କା ଦାବି କରି ଆଗରୁ ପରିଚୟ ଥିବା ପୂର୍ବତନ ରାଇକିଆ ଥାନାଧିକାରୀ ଓ ବର୍ତ୍ତମାନ ଗୋପାଳପୁର ଥାନା ଅଧିକାରୀ ଖମାରିଙ୍କ ସାହାଯ୍ୟ ନେଇଥିଲେ। ଆଉ ଖମାରି ପୁଲିସ ପଠାଇ ସୁମନ୍ତଙ୍କୁ ଗୋପାଳପୁର ନେଇ ମାଡ ମାରିଥିବା ଅଭିଯୋଗ ହୋଇଛି।

ତେବେ ସ୍ମୃତିରେଖା ରାଇକିଆ ଥାନାରେ ଅଭିଯୋଗ ନକରି ଗୋପାଳପୁର ଥାନା ଅଧିକାରୀଙ୍କୁ କେଉଁ ଆଧାରରେ ଜଣାଇଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ ଡିଜି, ରାଜ୍ୟ ମାନବାଧିକାର କମିସନ ଦୃଷ୍ଟି ଦେଇ ଥାନାଧିକାରୀ ଖମାରି ଓ ତାଙ୍କ ବୋଲକରା ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Related Posts