ୟୁ-ଟ୍ୟୁବ୍ ରୁ ଶିଖି ନକଲି ମେଲ୍ ଆଇଡିରୁ କଲେଜ ଅଧ୍ୟକ୍ଷାଙ୍କୁ ମେଲ୍ କରିଥିଲେ ଅଧ୍ୟାପକ : ଗିରଫ କଲା ସାଇବର ଥାନା ପୁଲିସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କଲେଜ ଅଧ୍ୟକ୍ଷାଙ୍କୁ ଉଚ୍ଚଶିକ୍ଷା ବିଭାଗର ନକଲି ଇ-ମେଲ୍ ଆଇଡିରୁ ମେଲ୍ କରି ଧରାପଡିଲେ ଅଧ୍ୟାପକ । ୟୁ-ଟ୍ୟୁବ୍ ରୁ ଶିଖୁଥିଲେ କେମିତି ଖୋଲି ହେବ ନକଲି ଇ ମେଲ୍ ଆଇଡି। ଆଉ ପ୍ରମାଣ ନଷ୍ଟ କରିବାର କୌଶଳ ମଧ୍ୟ ଶିଖିଥିଲେ। କିନ୍ତୁ କଲେଜ ଅଧ୍ୟକ୍ଷା ଉଚ୍ଚଶିକ୍ଷା ବିଭାଗ ସହ ସମ୍ପର୍କ କରିବା ପରେ ଧରାପଡିଗଲେ ଅଧ୍ୟାପକ । ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ସମ୍ବଲପୁର ଜିଲ୍ଲାର ପରମାଣପୁରସ୍ଥିତ ଡାକ୍ତର ଝସକେତନ ସାହୁ କଲେଜର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ମିଶ୍ରଙ୍କୁ କଲେଜର ଅଧ୍ୟାପକ ପରେଶ ଭୋଇ ଉଚ୍ଚଶିକ୍ଷା ବିଭାଗର ନକଲି ଇ-ମେଲ୍ ଆଇଡି ଖୋଲି ସେଥିରୁ ଅଧ୍ୟକ୍ଷାଙ୍କୁ ମେଲ୍ କରୁଥିଲେ। ଡାକ୍ତର ଝସକେତନ ସାହୁ କଲେଜରେ ସେ ଅର୍ଥନୀତି ବିଭାଗର ଅଧ୍ୟାପକ ଥିଲେ। ତେବେ ପରେଶ ୟୁଟ୍ୟୁବରୁ ନକଲି ମେଲ୍ ଆଇଡି ଖୋଲିବା, ମେଲ୍ କରିବା ପରେ ପୁଣି ପ୍ରମାଣ ନଷ୍ଟ ପାଇଁ ତାହା ଡିଲିଟ୍ କରିବାର କୌଶଳ ଶିଖିଥିଲେ। 

ଗତ କିଛି ଦିନ ତଳେ କଲେଜ ଅଧ୍ୟକ୍ଷାଙ୍କୁ କିରାଣି ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ମେଲ୍ କରିଥିଲେ ପରେଶ। ଏଥିରେ ଦର୍ଶାଇଥିଲେ ଯେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ? ତେବେ ଏହି ମେଲ୍ ପାଇବା ପରେ ଅଧ୍ୟକ୍ଷା ଏ ସମ୍ପର୍କରେ ଉଚ୍ଚ ବିଭାଗ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ପାଖରୁ ସେମିତି କୌଣସି  ମେଲ୍ ହିଁ ପଠାଯାଇ ନାହିଁ। ଏହା ଜାଣିବା ପରେ ଅଧ୍ୟକ୍ଷା ସମ୍ବଲପୁର ସାଇବର୍ ଥାନାରେ ଏତଲା ଦେଇଥିଲେ। ତେବେ ସାଇବର୍ ପୁଲିସ ସେଲ୍ ଘଟଣାର ଯାଞ୍ଚ କରିବା ପରେ ଜଣା ପଡିଥିଲା ଯେ ମେଲ କରିଥିବା ବ୍ୟକ୍ତି ହେଉଛନ୍ତି ଅର୍ଥନୀତି ଅଧ୍ୟାପକ ପରେଶ ଭୋଇ। ତାପରେ ସମ୍ବଲପୁର ସାଇବର୍ ଥାନା ପୁଲିସ ପରେଶଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିଛି ।

Related Posts