ବିଧାନସଭାରେ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ ଆଣି କକ୍ଷତ୍ୟାଗ କଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିବାବେଳେ ଆଜି ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ କରି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କକ୍ଷତ୍ୟାଗ କରିଛନ୍ତି। ଗୃହରେ କହିବା ପାଇଁ ତାଙ୍କୁ ସୁଯୋଗ ଦିଆଯାଉନି ବୋଲି ପ୍ରଦୀପ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦେଶରେ, ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରାଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ ପାଣିଗ୍ରାହୀ। ବିଧାୟକ ପାଣ୍ଠି ଖର୍ଚ୍ଚ ନେଇ ବିଧାନସଭାର ପ୍ରଶ୍ନକାଳରେ ଆଲୋଚନା ସମୟରେ ନିଜ ଅସନ୍ତୋଷ ବ୍ୟକ୍ତ କରି ଗୃହତ୍ୟାଗ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

ପ୍ରଦୀପ କହିଛନ୍ତି, ବାଚସ୍ପତି ଓଡ଼ିଶାବାସୀଙ୍କ ସ୍ୱାର୍ଥ ସପକ୍ଷରେ ଥିବା ଜଣାପଡ଼ୁନାହିଁ। ଜଣେ ସଦସ୍ୟଙ୍କୁ କହିବାକୁ ନ ଦେବା ଗୃହର ଅପମାନ।ମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ମୋ ଜିଲ୍ଲାରୁ ଆସୁଛନ୍ତି। ମୁଁ ଭାବୁଛି ମୋତେ ପକ୍ଷପତିତା କରାଯାଇ ମୋର ବିଧାୟକ ପାଣ୍ଠିକୁ ଖର୍ଚ୍ଚ କରାଇ ନ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ଗୋପାଳପୁରର ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଇ ଦିଆଯାଉ ନାହିଁ। ଆସନ୍ତାକାଲି ବଜେଟ ଉପସ୍ଥାପନ ହେବାକୁଥିବାବେଳେ ଗୃହରେ ଯୋଗ ଦେବି କି ନାହିଁ ତାହା ପରିସ୍ଥିତି ଉପରେ ନିର୍ଭର କରୁଛି ବୋଲି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

Related Posts