ପାଟକୁରା ନିର୍ବାଚନରେ ହେରଫେର କରିଛି ବିଜେଡି ; ଲେଖାଶ୍ରୀ

ଗତକାଲି ପାଟକୁରାରେ ତ୍ରିମୁଖୀ ଲଢେଇ ସରିଛି । ତେବେ ଏହି ବିଧାନସଭା ଆସନରେ ହୋଇଥିବା ନିର୍ବାଚନୀ ସମୟର ଅନିୟମିତତା ନେଇ ଆଜି ବିଜେପି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛି । ଏହି ସମୟରେ ଶାସକ ଦଳ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିହାଂର । ସେ ଅଭିଯୋଗ କରିଛନ୍ତି କି, ପାଟକୁରାରେ ମତଗ୍ରହଣ ସମୟରେ ସବୁ ବୁଥରେ ହେରଫେର୍ ହୋଇଛି ।

ଲେଖାଶ୍ରୀ କହିଛନ୍ତି କି, ଶାସକ ଦଳ ସବୁ ବୁଥରେ ହେରଫେର୍ କରିଛି । ଏଥିରେ ପ୍ରିଜାଇଡିଂ ଅଫିସର ସଂପୃକ୍ତ ଅଛନ୍ତି । ତେଣୁ ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମୁଖ୍ୟ ନିର୍ବାଚନ କମିଶନର ଏନେଇ ତର୍ଜମା କରନ୍ତୁ । ଆମେ ପୁଣି ଥରେ ସିଇଓଙ୍କ ନିକଟରେ ଫେରାଦ କରିବୁ । ସେଠାରେ ନିଶ୍ଚୟ ବିଜେପି ବିଜୟୀ ହେବ ।

ତେବେ ଗତକାଲି ପାଟକୁରାରେ ନିର୍ବାଚନ ସରିଛି । ମତଦାତାମାନେ ପ୍ରବଳ ମାତ୍ରାରେ ମତବ୍ୟକ୍ତ କରି ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଆସନ୍ତା ୨୪ରେ ଫଳାଫଳ ଉପରୁ ପରଦା ହଟିବାକୁ ଯାଉଛି । ଏଠାରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିଥିଲା । ବିଜେପିରୁ ବିଜୟ ମହାପାତ୍ର ମଇଦାନରେ ଓହ୍ଲାଇଥିବା ବେଳେ ବିଜେଡିରୁ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ର୍ରୱାଲ ଓ କଂଗ୍ରେସରୁ ଜୟନ୍ତ ମହାନ୍ତି ପ୍ରାର୍ଥୀ ହୋଇଥିଲେ । ତେବେ ଶାସକ ଦଳ ପୁଣି ଥରେ ଏଠାରେ ନିଜର ଆଧିପତ୍ୟ ଜାହିର ରଖିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରିଥିଲା । ଏପରିକି ବିଜେଡି ଭୋଟ ପାଇଁ ନୋଟ ନୀତି ଆପଣେଇଥିବା ମଧ୍ୟ ଚର୍ଚ୍ଚା ହେଉଥିଲା ।

Related Posts