ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ସଭାପତି ମହମ୍ମଦ ଆରିଫ ନସିମ ଖାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରିବାକୁ ଦାବି କରିଛନ୍ତି।
ସେ ନିଜ ଚିଠିରେ ଲେଖିଛନ୍ତି ଯେ, ସ୍ୱର୍ଗତ ମୁଲାୟମ ସିଂ ଯାଦବ ସମାଜର ପଛୁଆ ବର୍ଗର ଲୋକଙ୍କ ପାଇଁ କାମ କରୁଥିଲେ ଓ ସେମାନଙ୍କ ପାଇଁ ଲଢେଇ କରିଥିଲେ। ସମାଜବାଦୀ ପାର୍ଟି ନେତାଙ୍କ ମୃତ୍ୟୁରେ ସମଗ୍ର ଦେଶ ଶୋକ ପ୍ରକାଶ କରିଛି। ମୁଁ ଅନୁରୋଧ କରୁଛି ଯେ କୋଟି କୋଟି ଲୋକଙ୍କ ଭାବନାକୁ ନେଇ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଉ ବୋଲି କହିଛନ୍ତି କଂଗ୍ରେସ ନେତା। ମହମ୍ମଦ ଆରିଫ ନସିମ ଖାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ମୁଲାୟମ ସିଂ ଯାଦବଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି।
ଅନ୍ୟପଟେ ଭାରତୀୟ ଜନତା ପାର୍ଟି ସାଂସଦ ବିରେନ୍ଦ୍ର ସିଂ ଗତ ମାସରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂଙ୍କ ସ୍ମୃତିରେ ଏକ ଅଡିଟୋରିୟମ ନିର୍ମାଣ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ପ୍ରସ୍ତାବିତ ଅଡିଟୋରିୟମକୁ ବାଲିଆ ଜିଲ୍ଲା କୋର୍ଟ ପରିସରରେ ନିର୍ମାଣ କରାଯିବ ଓ ଏହାର ନାମ “ଧରତ୍ରୀପୁତ୍ର ମୁଲାୟମ ସିଂ ଯାଦବ ସମ୍ୱାଦ ଭବନ” ରଖାଯିବ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ମଧ୍ୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ନେହରେ “ନେତାଜୀ” ବୋଲି ଡାକୁଥିଲେ।