ଧାମନଗର ଉପନିର୍ବାଚନ ପାଇଁ ନିୟୋଜିତ ପୁଲିଂ ଅଫିସରଙ୍କ ମୃତ୍ୟୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ସକାଳୁ ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ‌ଭୋଟ ଗ୍ରହଣ ଚାଲିଛି। ଏସବୁ ଭିତରେ ଆସିଛି ଏକ ଦୁଃଖଦ ଖବର। ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୁଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ସେ ନିଜର ଅସୁସ୍ଥତା ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରିଥିଲେ ସୁଦ୍ଧା ତାଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ନଟବର ମୁଣ୍ଡା ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଗତକାଲି ତାଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ରାତିରେ ସେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି।

ନଟବର ମୁଣ୍ଡା ଭଦ୍ରକ ଜିଲ୍ଲା ଓଲାଙ୍ଗ ନେଡାଲ୍ ୟୁପି ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ନିଜର ଅସୁସ୍ଥତା ସଂପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରି ତାଙ୍କୁ ନିର୍ବାଚନ କାମ ନ ଦେବା ଲାଗି ଅନୁରୋଧ କରିଥିଲେ। ହେଲେ ସେଥିପ୍ରତି କେହି କର୍ଣ୍ଣପାତ କରି ନଥିଲେ। ଦେବାବଲ ଜୋନର ୧୩୯ ନମ୍ବର ବୁଥରେ ତାଙ୍କୁ ଫାର୍ଷ୍ଟ ପୁଲିଂ ଅଫିସର୍ ଭାବେ ନିୟୋଜିତ କରାଯାଇଥିଲା। ସେ ଅସୁସ୍ଥ ଥାଇ ମଧ୍ୟ ଗତ ୧ ତାରିଖରୁ ଦାୟିତ୍ବ ନିର୍ବାହ କରିବାକୁ ଏଠାକୂୁ ଆସିଥିଲେ।

Related Posts