ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଧାନସଭାର ଶୂନ୍ୟକାଳରେ ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଯିବାକୁ ଅନୁମତି ମିଳିବା ପ୍ରସଙ୍ଗ ଉଠିଛି। ବିଧାୟକଙ୍କୁ ଗୃହ ଭିତରକୁ ଯିବାକୁ ଅନୁମତି ଦେବା ସହ ଗୃହ କାର୍ଯ୍ୟ ସ୍ଵାଭାବିକ କରିବାକୁ ଦାବି ହୋଇଛି। ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବିଧାୟକଙ୍କୁ ଅଲଗା ଅଲଗା ବସାଜିବା ପ୍ରସଙ୍ଗରେ କହିଛନ୍ତି ଯେ, ବିଧାୟକମାନେ ଏକାଠି ନବସିବା ଦ୍ଵାରା ବିଭ୍ରାଟ ସୃଷ୍ଟି ହେଉଛି।ଅନ୍ୟତ୍ର ବସିବା ଦ୍ଵାରା ଦ୍ୱିତୀୟ ଶ୍ରେଣୀ ବିଧାୟକ ଭଳି ଅନୁଭବ କରୁଛନ୍ତି ବିଧାୟକ। ଅନ୍ୟ ରାଜ୍ୟରେ ବିଧାନସଭା ସ୍ଵାଭାବିକ ହେଲା। ସଂସଦ ବି ସ୍ଵାଭାବିକ ହେଲାଣି। ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରଥଯାତ୍ରା ବି ଶୃଙ୍ଖଳିତ ଭାବେ ହେଲା। ସାମ୍ବାଦିକ ନ ଆସିବା ଦ୍ଵାରା କେଉଁ ସଦସ୍ୟ କେଉଁ ପ୍ରସଙ୍ଗ ଉଠାଉଛନ୍ତି ଜଣାପଡୁନି। ଭୁଲ୍ ଖବର ବାହାରକୁ ଯାଉଛି। ତେଣୁ ଗୃହରେ ସମସ୍ତଙ୍କୁ ଛାଡ଼ିବାକୁ ଅନୁରୋଧ କଲେ ମୋହନ ମାଝି ।
ସେହିପରି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ମହାରାଷ୍ଟ୍ର ପରି ରାଜ୍ୟରେ ସଂକ୍ରମଣ ଅଧିକ ରହୁଥିଲେ ବି ସେଠାରେ ଗୃହ କାର୍ଯ୍ୟ ସ୍ଵାଭାବିକ ଚାଲୁଛି। ତେଣୁ ଓଡ଼ିଶାରେ ସ୍ଵାଭାବିକ କରାଯାଉ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବି ସାମ୍ବାଦିକଙ୍କୁ ପ୍ରେସ୍ ଗ୍ୟାଲେରୀକୁ ଛାଡ଼ିବାକୁ ଦାବି କରିଛନ୍ତି। ଏହା ସହ ବିଧାୟକମାନେ ଅନ୍ୟତ୍ର ବସିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।