ଆଇପିଏସ ଅଫିସରଙ୍କୁ ଆଜୀବନ କାରାଦଣ୍ଡ

ସତ୍ୟପାଠ ବ୍ୟୁରୋ : ଗୁଜରାଟର ନିଲମ୍ବିତ ଆଇପିଏସ ଅଫିସର ସଂଜୀବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜାମନଗର କୋର୍ଟ । କଏଦୀ ମୃତ୍ୟୁ ମାମଲାରେ ଜାମନଗର କୋର୍ଟ ସଂଜୀବ ଭଟ୍ଟ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସଯ ଶୁଣାଇଛନ୍ତି । ୧୯୯୦ ମସିହାରେ ଭାରତ ବନ୍ଦ ବେଳେ ହିଂସା ହୋଇଥିଲା । ସଂଜୀବ ଭଟ୍ଟ ସେତେବେଳେ ଜାମନଗର ଏସଏସପି ଥିଲେ । ହିଂସା ପାଇଁ ସେତେବେଳେ ୧୩୩ ଲୋକଙ୍କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ମଧ୍ୟରୁ ୨୫ଜଣ ଆହତ ହୋଇଥିଲେ ଏବଂ ୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ନ୍ୟାୟିକ ହେପାଜତରେ ଥିବାବେଳେ ପ୍ରଭୁଦଶ ମାଧବାଜି ନାମକ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା । ଭଟ୍ଟ ଏବଂ ତାଙ୍କର ସହଯୋଗୀ ଗିରଫ କରିଥିବା ଲୋକଙ୍କୁ ମାରପିଟ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସଂଜୀବ ଭଟ୍ଟ ଏବଂ ଅନ୍ୟ ପୋଲିସକର୍ମୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଥିଲା । କିନ୍ତୁ ଗୁଜୁରାଟ ସରକାର ମୁକଦ୍ଦମା ଚଳାଇବା ପାଇଁ ଅନୁମତି ଦେଇନଥିଲେ । ୨୦୧୧ ମସିହାରେ ରାଜ୍ୟ ସରକାର ଭଟ୍ଟଙ୍କ ବିରୋଧରେ ଟ୍ରାଇଲ ମୁକଦ୍ଦମା ପାଇଁ ଅନୁମତି ଦେଇଥିଲେ । ସଂଜୀବ ଭଟ୍ଟ ଏହି ମାମଲାରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜୁନ ୧୨ ତାରିଖରେ ସୁପ୍ରିମକୋର୍ଟ ସଂଜୀବ ଭଟ୍ଟଙ୍କ ଆବେଦନ ଖାରଜ କରିଦେଇଥିଲେ । ମାମଲାର ପୁନଃ ତଦନ୍ତ ପାଇଁ ସଂଜୀବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ୩୦ ବର୍ଷ ପୁରୁଣା କଏଦୀ ମୃତ୍ୟୁ ଘଟଣାର ଶୁଣାଣି ଜୁନ ୨୦ ତାରିଖରେ ଥିଲା ।

Related Posts