ଦମ୍ ଦେଖାଇଲେ ଲିକୁ; ନୂଆପଡାରୁ ବିଜେପି ଅଫିସ୍ ଭାୟା ଧର୍ମଶାଳା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜୟ ଢୋଲକିଆ ବିଜେପିରେ ଯୋଗଦେବା ଚର୍ଚ୍ଚା ଏଯାଏଁ ଥମିବାର ନାଁ ଧରୁନାହିଁ | ଶେଷ ପର୍ଯ୍ୟନ୍ତ ବିଜେଡି ଜାଣିପାରିଲା ନାହିଁ କି ଜୟ ବିଜେପିରେ ମିଶିବେ | ଶନିବାର ଦିନ ୧୧ ଟା ପରେ ଯାଇ ବିଜେଡି ଜାଣିପାରିଥିଲା ଜୟ ବିଜେପିରେ ଯୋଗଦେବାକୁ ଯାଉଛନ୍ତି ବୋଲି | ଏତେ ଗୋପନୀୟ ଭାବରେ ଏ ଡିଲ୍ ହେଲା, ବିଜେଡି ତାର ଟେର ବି ପାଇଲାନାହିଁ | ତେବେ ଜୟଙ୍କୁ ରାଜି କରାଇବା ଓ ବିଜେପିର ବଡ଼ ନେତାଙ୍କ ସହ କଥା କରାଇବା, ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଭରସା ଦେବା ପଛରେ ରାଜ୍ୟ ସଭାପତି ମନମୋହନ ସାମଲ କି କୌଣସି ବଡ଼ ବିଜେପି ନେତାଙ୍କର ହାତ ନାହିଁ | ବିଜେପିକୁ ସମର୍ଥନ ଦେଉଥିବା ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ସାହୁ (ଲିକୁ)ଙ୍କର ଏହା ପଛରେ ସବୁ ପ୍ରୟାସ ଥିବା ଚର୍ଚ୍ଚା ହେଉଛି | ଲିକୁ ଏ ପୁରା ଯୋଜନା ପଛରେ ବୁଦ୍ଧି ଖଟାଇଛନ୍ତି | ଜୟଙ୍କୁ ଲିକୁ ରାଜି କରାଇବା ପରେ ହିଁ ଦଳର ଶୀର୍ଷ ନେତୃତ୍ୱ ଜୟଙ୍କ ସହ କଥା ହୋଇଥିଲେ | ଏପରିକି ଗତକାଲି ମିଶ୍ରଣ ପର୍ବର ସବୁ ଦାୟିତ୍ୱ ବି ଲିକୁ ନେଇଥିଲେ | ଧର୍ମଶାଳା ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ଭିଡ଼ ହିଁ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଥିଲା | ତେଣୁ ଜୟଙ୍କ ବିଜେପି ମିଶ୍ରଣ ନୂଆପଡାରୁ ଦଳୀୟ ପାର୍ଟି ଅଫିସ ଭାୟା ଧର୍ମଶାଳା ବୋଲି ଏବେ ଚର୍ଚ୍ଚା ହେଉଛି |

Related Posts