କଳା ରଙ୍ଗରେ ବୋଳା କାଗଜରେ ଲିକ୍ୟୁଇଡ୍(ନିର୍ଦ୍ଦିଷ୍ଟ ତରଳ ପଦାର୍ଥ) ଢାଳିଦେଲେ ନୋଟ୍‌ ପରିବର୍ତ୍ତନ ହେଇଯାଉଛି । ଏମିତି ଚକ୍‌ମା ଦେଖାଇ ଦେଢ଼ କୋଟି ଟଙ୍କା ଦେବାର ମିଥ୍ୟା ପ୍ରଲୋଭନ ଦେଇ ବାରିପଦାର ଜଣେ ଠିକାଦାରଙ୍କୁ ଚୁନ ଲଗାଇଛନ୍ତି ସୁଇଜରଲାଣ୍ତର ‘ଲିକ୍ୟୁଇଡ୍‌ ଗ୍ୟାଙ୍ଗ’।

ଫେସ୍‌ବୁକ୍‌ରେ ଅରୁଣାଚଳ ପ୍ରଦେଶର ଯୁବତୀଙ୍କ ମାଧ୍ୟମରେ ସମ୍ପର୍କ ଯୋଡ଼ି ୮୭ ଲକ୍ଷ ଟଙ୍କା ଲୁଟିନେଇଥିବା ଏହି ସାଇବର‌୍‌ ଅପରାଧୀ ଗ୍ୟାଙ୍ଗ୍‌ର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ । ଏ ଦୁଇଜଣ ହେଲେ, ବିହାର ଜାହାନାବାଦ୍‌ ଜିଲ୍ଲାର ବିନୋଦ କୁମାର ସି˚ହ ଓ ବୈଶାଳୀ ଜିଲ୍ଲାର ସଞ୍ଜିବ କୁମାର ।

ଘଟଣା ଏହିପରି, ବାରିପଦା ମଧୁବନ ଅଞ୍ଚଳର ଠିକାଦାର ତପନ କୁମାର ଦାସ ୨୦୧୮ ଡିସେମ୍ବର ୨୨ ତାରିଖରେ ୮୭ ଲକ୍ଷ ଟଙ୍କା ଠକେଇ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚରେ ଏକ ଏତଲା ଦେଇଥିଲେ । ଗତ ସେପ୍ଟେମ୍ବରରେ ସୁଇଜର‌୍‌ଲାଣ୍ତର ଖ୍ରୀଷ୍ଟି ଡସନ୍‌ ନାମକ ମହିଳାଙ୍କ ସହିତ ତାଙ୍କର ଫେସ୍‌ବୁକ୍‌ରେ ବନ୍ଧୁତା ହୋଇଥିଲା ।

ଖ୍ରୀଷ୍ଟି ସୁଇଜରଲାଣ୍ତରେ ରିଅଲ୍‌ ଇଷ୍ଟେଟ୍‌ ବ୍ୟବସାୟ କରୁଥିବା ବେଳେ ଭାରତରେ ମଧ୍ୟ କାମ କରିବାକୁ ଆଗ୍ରହୀ ଥିବା ତପନଙ୍କୁ କହିଥିଲେ । ସେପ୍ଟେମ୍ବର ୨୬ ତାରିଖରେ ଖ୍ରୀଷ୍ଟି ଭାରତ ଆସୁଥିବା କହିବାରୁ ୨୮ ତାରିଖରେ ଦିଲ୍ଲୀ ବିମାନବନ୍ଦରର କଷ୍ଟମ୍‌ ଅଫିସର‌୍‌ରୁ ଜଣେ ମହିଳାଙ୍କ ଫୋନ୍‌ କଲ୍‌ ଆସିଥିଲା । ବିମାନବନ୍ଦରରେ ଖ୍ରୀଷ୍ଟି ୩ ଲକ୍ଷ ପାଉଣ୍ତ ସହିତ ଅଟକ ଥିବାରୁ ଟଙ୍କା ଦେଲେ ସେ ମୁକୁଳିବେ ବୋଲି କହିଥିଲେ । ଅଫିସରଙ୍କ କଥା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୬ ଲକ୍ଷ ଟଙ୍କା ପଠାଇଥିଲେ ତପନ ।

ପରେ ଦକ୍ଷିଣ ଆଫ୍ରିକାର ଜନ୍‌ ସ୍କୋଟନ୍‌ ନାମକ ଏଜେଣ୍ଟ ଧାର ଟଙ୍କା ସୁଝିବାକୁ ଭୁବନେଶ୍ବର ବାପୁଜୀନଗରରେ ଥିବା ଏକ ହୋଟେଲ୍‌କୁ ଆସିଥିଲେ । ବାକ୍ସରେ ଆଣିଥିବା କଳା ରଙ୍ଗର କାଗଜରେ ଲିକ୍ୟୁଇଡ୍‌ ଢାଳି ତାକୁ ନୋଟ୍‌ରେ ପରିବର୍ତ୍ତନ କରିଥିଲେ । କିନ୍ତୁ ଲିକ୍ୟୁଇଡ୍‌ ସରିଯାଇଥିବାରୁ ଅଧା ଲିଟର‌୍‌ ଲିକ୍ୟୁଇଡ୍‌ ଆଣିବାକୁ ଦିଲ୍ଲୀ ଯାଇଥିଲେ ।

ଦିଲ୍ଲୀରେ ପହଞ୍ଚି ଲିକ୍ୟୁଇଡ୍‌ ବାବଦ ୩୧ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଠାଇବାକୁ କହିବାରୁ ତପନ ଦ୍ବିତୀୟ ପର୍ଯ୍ୟାୟରେ ଟଙ୍କା ପଠାଇଥିଲେ । କିନ୍ତୁ ପରେ ତପନ ଜାଣିପାରିଲେ ଯେ ସେ ଠକେଇର ଶିକାର ହୋଇଛନ୍ତି । ତା ପରେ ସେ କ୍ରାଇମ୍‌ବ୍ରାଞ୍ଚ ସାଇବର ଥାନାରେ ଏତଲା ଦେଇଥିଲେ ।

ଏହି ଏତଲାକୁ ଭିତ୍ତିକରି ଗତ ୧ ତାରିଖରେ ବିନୋଦ କୁମାର ସିଂହ ଓ ସଞ୍ଜୀବ କୁମାରଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ଅନ୍ୟପଟେ, ଖ୍ରୀଷ୍ଟି ଡସନ୍‌ ନାମକ କେହି ବିମାନବନ୍ଦରରେ ଅଟକ ନଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି ।