ଏକ ପାଣ୍ଡିଆନ, ଦ୍ବିତୀୟ ନାସ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଓଡ଼ିଶା ଶାସନର ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଲାଗୁଛି ଯେମିତି ‘ଏକ ପାଣ୍ଡିଆନ – ଦ୍ୱିତୀୟ ନାସ୍ତି’ ଅର୍ଥାତ୍ ପ୍ରଶାସନ, ପଲଟିକ୍ସ ପବ୍ଲିସିଟି ଏ ସବୁ ନୀତି ନିଷ୍ପତ୍ତିର ସର୍ବଶକ୍ତିମାନ ହେଉଛନ୍ତି ଜଣେ ମାତ୍ର ବ୍ୟକ୍ତି । ଜଣେ ସମ୍ମାନସ୍ପଦ ସର୍ବ ଭାରତୀୟ ସେବା ଅଧିକାରୀଙ୍କ ବାବଦରେ ଏଭଳି ଟିପା – ଟିପ୍ପଣୀ ଲଗେଇ ଖବର କରିବାର ଆଧାର ହେଉଛି ବିଗତ ପ୍ରାୟ ୬-୭ ମାସ ମଧ୍ୟରେ ରାଜ୍ୟ ପ୍ରଶାସନ ଓ ରାଜନୀତିରେ ଏହି ବାବୁଙ୍କୁ ଯେଭଳି ଭାବରେ ପ୍ରୋଜେକ୍ଟ କରାଯାଉଛି । ଓଡ଼ିଶା ପ୍ରଶାସନ ଇତିହାସରେ ଯାହା କରାଯାଇନଥିଲା ତାହା ପାଣ୍ଡିଆନ ବାବୁଙ୍କ ପାଇଁ କରାଯାଉଛି । ବିନା ବିଭାଗରେ 5-ଟି ସଚିବ ଆଖ୍ୟା ଦେଇ ସରକାରୀ ଭାବରେ ସମ୍ବୋଧନ କରାଯାଉଛି ।

ସେ ଯାହା ହେଉ, ବାବୁଙ୍କ ବିଭିନ୍ନ ଗସ୍ତ, ପ୍ରକଳ୍ପ ପରିଦର୍ଶନ, ଅନ୍ୟ ବିଭାଗୀୟ ବାବୁ, ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା ଆଦିର ଆଦବ – କାୟଦା ଦେଖିଲେ ଲାଗୁଛି କାର୍ତ୍ତିକ ବାବୁ କେବଳ ନାଁକୁ ମାତ୍ର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରୀ, ହେଲେ ସାର୍ ଏବେ ଲଗଭଗ ଜୁନିଅର୍ ମାନ୍ୟବର ।

ବଡ଼ଦାଣ୍ଡରୁ ବଡ ମେଡିକାଲ, ବଡ଼ଦେଉଳରୁ ବଳଦେବଜୀଉ, ହାଡ଼ିଆପଠାରୁ ବିନ୍ଦୁସାଗର ହୁଡ଼ା ଯେଉଁଠି ଦେଖିବ ପୁରା ପ୍ରଶାସନର ‘ଏକୋଇର ବାଳା ବିଶିକେଶନ’ ହେଉଛନ୍ତି ବାବୁ ପାଣ୍ଡିଆନ। ନା ବିଭାଗୀୟ ମନ୍ତ୍ରୀ, ନା ବିଧାୟକ, ନା ମୁଖ୍ୟ ସଚିବ, ନା ବିଭାଗୀୟ ସଚିବ କେହି ନୁହନ୍ତି , ଏଭଳି ଧାରଣା ଦିଆଯାଇଛି ଯେଭଳି ସବୁ କିଛି ପଣ୍ଡିଆନ ବାବୁ ହିଁ କରୁଛନ୍ତି ।

ବିଜେଡିର ୨୨-୨୩ ବର୍ଷର ଇତିହାସରେ ହଠାତ୍ ଏ ପରିବର୍ତ୍ତନ ପଛର କାରଣ କଣ ହୋଇପାରେ ? ଯେବେଠୁ ଦଳ ତିଆରି ହୋଇଛି କେବଳ ନବୀନ ପଟ୍ଟନାୟକଙ୍କୁ ଛାଡି ଦେଲେ ଆଉ କାହାରିକୁ ସର୍ବଶକ୍ତିମାନ୍ କରିବା ତା ଦୂରର କଥା କୌଣସି କଥାରେ ଶ୍ରେୟ ଟିକେ ମଧ୍ୟ ଦିଆଯାଇନାହିଁ । ତାହାର କାରଣ ହେଲା, ଆଞ୍ଚଳିକ ଦଳ ଭାବରେ ଦ୍ଵିତୀୟ କ୍ଷମତା କେନ୍ଦ୍ରର ଅବସ୍ଥିତିର ଆଭାସ ମଧ୍ୟ ଦିଆଯିବ ନାହିଁ ।

ତେବେ ପାଣ୍ଡିଆନଙ୍କ କ୍ଷେତ୍ରରେ ଏହି ବ୍ୟତିକ୍ରମ କାହିଁକି ?

ଶ୍ରେୟ ନେବାକୁ ସାମାନ୍ୟତମ ପ୍ରୟାସ କରି ଅତୀତରେ ବିଜୟ ମହାପାତ୍ର, ପ୍ୟାରୀ ବାବୁ, ରାମକୃଷ୍ଣ ପଟ୍ଟନାୟକ, ଦାମ ବାବୁ, ବୈଜୟନ୍ତ ପଣ୍ଡା ଅତି ଅପମାନଜନକ ସ୍ଥିତିରେ ଦଳରୁ ତଡ଼ା ହୋଇଛନ୍ତି, ତେବେ ଏଠି ଏ ବ୍ୟତିକ୍ରମ କଣ ପାଇଁ? ଲଗାତର କୋଡିଏ ବର୍ଷର ବିଜୟର ଶ୍ରେୟ ଯଦି କୌଣସି ଗୋଟିଏ କଥାକୁ ଦିଆଯାଏ ତା’ହେଲେ ସେ ହେଉଛି ଜଣେ ବ୍ୟକ୍ତିକୁ ସର୍ବାଧିକ ପ୍ରାଧାନ୍ୟ ଦେବା । ଏଇ ଯେମିତି ନବୀନ ବାବୁ ଯାହାଙ୍କୁ ଦଳ ତଥା ଦଳଭାଇମାନଙ୍କ ପକ୍ଷରୁ ଏଭଳି ଏକ ସ୍ତରରେ ପହଞ୍ଚାଇ ଦିଆଯାଇଛି ଯାହାକୁ ଚାହିଁଲେ ବିଶାଖି ପାଉନି । ସାଧାରଣରେ ଏଭଳି ଏକ ଧାରାଣା ସୃଷ୍ଟି କରିଦିଆ ଯାଇଛି ଯେପରି ନବୀନ ବାବୁ ହେଉଛନ୍ତି ବିଜେଡିରେ ପରମେଶ୍ବର, ନିରାକାର ଆଉ ନିଷ୍କଳଙ୍କ ବ୍ୟକ୍ତିତ୍ବ ଯିଏ ସଦା ସର୍ବଦା କେବଳ ରାଜ୍ୟର ସୁରକ୍ଷା ଆଉ ସ୍ବାର୍ଥ କଥା ଚିନ୍ତା କରନ୍ତି । ସବୁ ଶ୍ରେୟର ସେ ହକଦାର ହେଲେ ଯେତେ ନିନ୍ଦା, ଅପମାନ, ଦୁର୍ନୀତି ବ୍ୟଭିଚାର ପାଇଁ ଅନ୍ୟମାନେ ଦାୟୀ । ଦୁର୍ନୀତିର ଛାଇ ଦେଖିଲେ କାର୍ଯ୍ୟାନୁଷ୍ଠାନ ନେଇ ଭାବମୂର୍ତ୍ତୀ ସଜାଡୁଥିବା ବେଳେ ନିଜ ବିଭାଗର ତୃଟି ପାଇଁ ଚାରିଖୁଣ ମାଫ୍ ।

2000 ବ୍ୟାଚ୍‌ର ଏହି IAS ଅଫିସର, ପ୍ରାୟ 19-20 ବର୍ଷ ହେଲାଣି ଓଡ଼ିଶାରେ IAS ଅଫିସର ଅଛନ୍ତି । ଏଠି ପ୍ରଶ୍ନ ଉଠୁଛି ଆଗରୁ ଏଭଳି ଗସ୍ତ କରୁଥିଲେ ନା 2019 ନିର୍ବାଚନ ପରେ ଏଭଳି ଗସ୍ତ କରୁଛନ୍ତି । କାରଣ ଆଗରୁ ପାଣ୍ଡିଆନଙ୍କ ଛାଇ ଟିକେ ବି କେହି ଦେଖିବାକୁ ପାଉନଥିଲେ । କିନ୍ତୁ ଏବେ ରାତି ଅଧରୁ ଦ୍ବିପହର, ମନ୍ଦିରଠୁ ଆରମ୍ଭ କରି ମେଡିକାଲ ଯାଏ ବାବୁଙ୍କ ଗସ୍ତକୁ ଯେଭଳି ଭାବରେ ପବ୍ଲିସିଟି କରାଯାଉଛି ଏହାର ଅର୍ଥ ହେଉଛି ଯେ ସାରଙ୍କ ଭଳି ତାଙ୍କ ବ୍ୟକ୍ତିତ୍ବ ତିଆରି କରିବା । ଯେଉଁଥିପାଇଁ ପାଣ୍ଡିଆନଙ୍କ କାମ, ଦାମ, କଥାବାର୍ତ୍ତା ଓ ଫଟୋରେ ବି ତାଙ୍କ ପାଖରେ ଆଉ କେହି ବିଭାଗୀୟ ନେତା ମନ୍ତ୍ରୀ ଦେଖାଯାଉ ନାହାନ୍ତି, କେବଳ ଏକମାତ୍ର ପାଣ୍ଡିଆନ । ତେଣୁ ଓଡ଼ିଶାର ସବୁ ବର୍ଗର ଲୋକଙ୍କ ପାଖରେ କିଭଳି ଗ୍ରହଣୀୟ, ବିଶ୍ବସନୀୟ ଆଉ ପୂଜନୀୟ ହୋଇପାରିବେ ତାକୁ ହିଁ ଲକ୍ଷ୍ୟ କରି ସବୁ କାମ କଲା ଭଳି ଲାଗୁଛି । ଆଉ ଯୁବ ବର୍ଗଙ୍କ ପାଇଁ ହଠାତ ରାତି ଅଧିଆ ଯିବେ, ପାହାନ୍ତିଆରେ ବୁଲିବେ, ମୁଡି ଜ୍ୟାକେଟ, ଟ୍ରାକ୍ ସୁଟ୍ ପିନ୍ଧିବେ । ମହିଳା ଏବଂ ବୟସ୍କଙ୍କ ପାଇଁ ମନ୍ଦିର ବୁଲିବେ, ମାଆଙ୍କ ଦର୍ଶନ କରିବେ । ସେହିଭଳି ଶିକ୍ଷିତ ଲୋକଙ୍କ ମନ ଜିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନକ୍ସା ଦେଖାଇ ବୁଝାଉଛନ୍ତି । ଯାହା ଦ୍ବାରା ସାଧାରଲୋକ ଭାବିବେ ଯେ ମୁଖ୍ୟମନ୍ତ୍ରୀଙ୍କୁ ମୁଝାଉଥିବା ଲୋକ ସବୁଠୁ ଅଧିକ ଜ୍ଞାନି ଓ ଦକ୍ଷ ହୋଇଥିବେ । ପ୍ରଶାସନିକ ସାମୁହିକ ବୁଦ୍ଧିଠାରୁ ଏହି ବ୍ୟକ୍ତର ଅଧିକ ବୁଦ୍ଧି ଅଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସେ ବୁଝାଉଛନ୍ତି । ଛୁଆ ମାନ୍ୟବର ସବୁ ବୁଲୁଛନ୍ତି, ସବୁ କରୁଛନ୍ତି କିନ୍ତୁ ଏବେ ବୋଧେ କେବଳ ଗୋଟିଏ ପୋଷାକ ବାକି ରହିଗଲା, ଆଉ ତାହା ବୋଧେ ଅକ୍ଷୟ ତୃତୀୟାରେ ବାହାରିବ ।

ଆଉ ଏବେ ସେହି ଧାରାକୁ ବଜାୟ ରଖିବାକୁ ଯାଇ ତାଙ୍କ ଚଳନ୍ତି ପ୍ରତିମା ଆରମ୍ଭ କରିଦେଇଛନ୍ତି ଓଡିଶା ଶାସନକୁ ତାଙ୍କ ଗୁପ୍ତ ଯୋଜନାର ପ୍ରୟୋଗଶାଳା ଭାବରେ । ନୂଆ ଉଦ୍ଭାବନା ଭିତରେ ସବୁ କ୍ଷମତାକୁ ନିଜ ପାଖକୁ ଆଣିବାକୁ ଯାଇ ୫ଟି ମାଧ୍ୟମରେ ଆରମ୍ଭ ହୋଇଯାଇଛି ସଚିବ ମେଧ ଅଭିଯାନ । ଗୋଟିଏ ପରେ ଗୋଟିଏ ବିଭାଗକୁ ୫ଟି ଅଧିନକୁ ଆଣି ନିଜେ ସର୍ବେସର୍ବା ହେବାର ପରିକଳ୍ପନା ଧିରେ ଧିରେ ସ୍ପଷ୍ଟ ହେବାକୁ ଯାଉଛି ।

ଗତ 20 ବର୍ଷ ମଧ୍ୟରେ ଯାହା ଦେଖିବାକୁ ମିଳିନଥିଲା ତାହା ୫ମ ପାଳିରେ ଦେଖିବାକୁ ମିଳୁଛି । ପ୍ରଥମେ ଥାନା ଆଉ ଡାକ୍ତରଖାନାରେ ଆରମ୍ଭ ହେଲା ଏ ପ୍ରୟୋଗାତ୍ମକ ଅଭିଯାନ । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ସବୁ ବିଭାଗ ତଥାକଥିତ ୫ଟି (ଯାହା ଅବୈଧ ବୋଲି ସରକାର ସ୍ୱୀକାର କରିଛନ୍ତି) ଅଧିନକୁ ଆସି ଯାଇଥିବ । ନାମକୁ ମାତ୍ର ମନ୍ତ୍ରୀ ସଚିବ ଆଉ ନିର୍ଦ୍ଦେଶକ ହେଲେ ସବୁ ନିଷ୍ପତ୍ତି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ନେଉଥିବେ ।

ଏଥିପାଇଁ ସବୁ ନକ୍ସା ପ୍ରସ୍ତୁତ ଆଉ ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟବାସୀଙ୍କ ମନରେ ଗୋଟିଏ ଧାରଣା ସୃଷ୍ଟି କରିବା କି ମୁଖ୍ୟମନ୍ତ୍ରୀଙ୍କ ପରେ ଯଦି ଆଉ କେହି ଜଣେ ଥାଏ ତା’ହେଲେ ସେ ହେଉଛନ୍ତି ପାଣ୍ଡିଆନ (ଛୁଆ ମାନ୍ୟବର)। ଯାହାଙ୍କର ନୀତି ନିଷ୍ପତ୍ତି ହିଁ ବର୍ତ୍ତମାନ ସମୟର ସବୁଠାରୁ ବଡ ନିଷ୍ପତ୍ତି । ଯାହାଙ୍କର ବିନା ଇଚ୍ଛାରେ ଯେପରି ଓଡିଶା ଶାସନ ଅଚଳପ୍ରାୟ । ସିଏ ଚାହିଁଲେ ଏ ଜାତିର ଐତିହ୍ୟ ପରମ୍ପରା ପୂଜ୍ୟପୂଜା ଶିକ୍ଷା ସାହିତ୍ୟ ସଂସ୍କୃତି ସ୍ବାସ୍ଥ୍ୟ ଶିଳ୍ପ ବାଣିଜ୍ୟ ଆଇନଶୃଙ୍ଖଳା ସବୁକିଛି ନିୟନ୍ତ୍ରିତ ହୋଇପାରିବ । ସେ ହେଉଛନ୍ତି ମାନ୍ୟବରଙ୍କ ଚଳନ୍ତିପ୍ରତିମା ତାଙ୍କ ବିନା ଆଉ ଦ୍ବିତୀୟ ଗତି ନାହିଁ । ଏଇ ଯେପରି ନିକଟରେ ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର କୋଣାର୍କ ମନ୍ଦିର, ସମଲେଶ୍ବରୀ, ତାରାତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପାଇଁ ସେ ଖସଡା ପ୍ରସ୍ତୁତ କରିଛନ୍ତି ଠିକ୍ ସେହିପରି ପୂଜ୍ୟପୂଜାର ସମ୍ମାନ ଜଣାଇବାକୁ ଯାଇ ଗୋପବନ୍ଧୁଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ସୁଆଣ୍ଡୋରେ ପହଞ୍ଚିଛନ୍ତି । ନାଁ ସାଥିରେ କୌଣସି ମନ୍ତ୍ରୀ କିମ୍ବା ବିଧାୟକ କେହି ରହୁନାହାନ୍ତି । ଗସ୍ତର ପରଦିନ ଗଣମାଧ୍ୟରେ ସୁନ୍ଦର ଭାବରେ ଫଟୋ ସହ ଖବର ଆସୁଛି ୫ଟି ସଚିବଙ୍କ ଅଚାନକ ପରିଦର୍ଶନ ସମ୍ପର୍କରେ ।

ଏକ ଅଦ୍‌ଭୂତ ଅବସ୍ଥା ଦେଇ ଚାଲିଛି ଓଡ଼ିଶା ଶାସନ । ଏଠି ଲୋକ ପ୍ରତିନିଧ ଗୌଣ ଆଉ ପ୍ରଶାସକ ମୁଖ୍ୟ ବୋଲି ଶୁଣି ଆସୁଥିଲୁ ହେଲେ ଏବେ ଦେଖାଯାଉଛି ଜଣିଏ ମାତ୍ର ପ୍ରଶାସକ ସେ ପୁଣି ସମସ୍ତଙ୍କର ମୁଖ୍ୟ ହେବାକୁ ପରିକଳ୍ପନା କରିବା ଆରମ୍ଭ କରିଦେଲେଣି । ବିଭାଗୀୟ ମନ୍ତ୍ରୀ ଆଉ ସଚିବମାନେ ବି ନିରୁପାୟ । ଏ ସବୁରୁ ଗୋଟିଏ କଥା ବୁଝା ପଡୁଛି ମାନ୍ୟବରଙ୍କ ସଫଳତାର ସୂତ୍ର ଛୁଆ ମାନ୍ୟବରଙ୍କ ଉପରେ ଉତାରିବାକୁ ପ୍ରସ୍ତୁତି ଚାଲିଛି ।

Related Posts