ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡର ଏମଡି ଦୀପକ କିଣ୍ଡୋଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ୍ ଲିମିଟେଡର ଏମଡି ଦୀପକ କିଣ୍ଡୋଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡ୍ଲ୍ୟୁ ଅନୁରୋଧ କ୍ରମେ ଇମିଗ୍ରେସନ୍ ବ୍ୟୁରୋ ପକ୍ଷରୁ ଏହି ସର୍କୁଲାର ଜାରି କରଯାଇଛି। ଦୀପକ ଯେଭଳି ଦେଶ ଛାଡ଼ି ନ ପଳାଇପାରିବେ, ସେଥିପାଇଁ ଦେଶର ବିଭିନ୍ନ ଏୟାରପୋର୍ଟ, ବନ୍ଦରଗୁଡିକୁ ଅବଗତ କରାଯାଇଛି। ଗିରଫଦାରୀ ଏଡ଼ାଇବା ଲାଗି ଦୀପକ ଏବେ ଆତ୍ମଗୋପନ କରିଥିବା ସୂଚନା ମିଳିଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡର ଅଭିଯୋଗ ଆଧାରରେ ଇଓଡ୍ଲ୍ୟୁ ଏହି କାର‌୍ୟ୍ୟାନୁଷ୍ଠାନ ନେଇଛି। ଦୀପକ ଜାଲ କାଗଜପତ୍ର କରି ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଠାରୁ ୧୦୦ କୋଟି ଟଙ୍କା ସଂଗ୍ରହ କରି ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଦୀପକଙ୍କୁ ଗିରଫ କରାଇବାରେ ଯଦି କେହି ସାହାଯ୍ୟ କରନ୍ତି, ତାହେଲେ ତାଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି।

ଦୀପକ ସମ୍ବନ୍ଧରେ କୌଣସି ସୂଚନା ପାଇଲେ ଏହି ଫୋନ୍ ନମ୍ବର ୯୪୩୭୪୪୪୮୭୦ ଯୋଗେ ଯୋଗାଯୋଗ କରିବାକୁ କୁହାଯାଇଛି। ଏହି ମାମଲାରେ ତାଙ୍କ ପତ୍ନୀ ଦିୟା ଡାଏରୀର ପରିଚାଳନା ନିର୍ଦ୍ଦେଶିକା ଅମ୍ରିତା କିଣ୍ଡୋଙ୍କୁ ପୂର୍ବରୁ ଇଓଡ୍ଲ୍ୟୁକୁ ଗିରଫ କରିସାରିଛି। ଅମ୍ରିତାଙ୍କ ବିରୋଧରେ ୪୦୬/୪୨୦/୪୬୭/୪୬୮/୧୨୦ବି ଓଚଉରେ ମାମଲା ରୁଜୁ କରାଯାଇଛି। ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।

Related Posts