ବିମାନଯାତ୍ରୀଙ୍କଠାରୁ ନିୟମିତ କରୁଥିଲା ଚୋରି, ଶେଷରେ ହାତରେ ପଡ଼ିଲା ବେଡ଼ି

ତାର ଲକ୍ଷ୍ୟ ଥିଲା ବଡ଼ ହାତ ମାରିବା । ଏଥିପାଇଁ ସେ ଏଣୁ ତେଣୁ ଲୋକଙ୍କୁ ନୁହେଁ, ବିମାନ ଯାତ୍ରୀଙ୍କୁ କରୁଥିଲା ଟାର୍ଗେଟ୍‌ । ସବୁଦିନିଆ ବିମାନଯାତ୍ରୀଙ୍କ ପରି ସେ ଟିକେଟ୍‌ କରି ବିମାନବନ୍ଦରକୁ ଯାଉଥିଲା । ବିମାନବନ୍ଦରର ଟର୍ମିନାଲ୍‌ରେ ଭିଡ଼ ଥିବା ଧାଡ଼ିରେ ଚେକ୍‌ ଇନ୍‌ ବା ବୋର୍ଡିଂ ପାସ୍‌ ପାଇଁ ଛିଡ଼ା ହେଉଥିଲା । ତା ପରେ କୌଶଳରେ ଧାଡ଼ିରେ ଥିବା ଯାତ୍ରୀଙ୍କ ଦାମି ଜିନିଷ ଚୋରି କରୁଥିଲା । ତା ପରେ ଆପଣାଉଥିଲା ଆହୁରି ଚତୁର ଉପାୟ । ସେ ପିନ୍ଧିଥିବା ସାର୍ଟ ବଦଳାଇ ଦେଉଥିଲା, କିମ୍ବା ଅନ୍ୟ ବିମାନରେ ଯାତ୍ରା କରୁଥିଲା । ଦରକାର ପଡ଼ିଲେ ହେଲେ ସେ ଟିକେଟ୍‌ ବାତିଲ୍‌ କରିଦେଇ କରି ଟର୍ମିନାଲ ବାହାରକୁ ଚାଲି ଆସୁଥିଲା ।

ଏମିତି ଚତୁର ଉପାୟରେ ବହୁ ଥର ହାତ ସଫା କରିଥିବା ଜଣେ ଚୋରକୁ ଧରାପଡ଼ିଛି କୋଲକାତା ବିମାନବନ୍ଦରରୁ । ଗିରଫ ହୋଇଥିବା ଏହି ଚୋରର ନାମ ସାଜିଦ୍‌ ହୁସେନ୍‌ ଓ ତାର ବୟସ ୪୫ ବର୍ଷ, ଘର ଝାଡ଼ଖଣ୍ଡର ମଧୁପୁରା ଅଞ୍ଚଳରେ । ଗତ ରବିବାର କୋଚି ଯାଉଥିବା ଜଣେ ବିମାନଯାତ୍ରୀଙ୍କର କାନଫୁଲ, ସୁନାଚେନ୍‌ ଓ ୩୫୦୦ ଟଙ୍କା ଥିବା ମନିପର୍ସ ଚୋରି କରିବା ବେଳେ ବିମାନବନ୍ଦରର ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଲା ସାଜିଦ୍‌ । ଆଉ ପଚରାଉଚରା ବେଳେ ସେ ଯାହା ଖୁଲାସା କଲା ତାକୁ ଶୁଣି ସୁରକ୍ଷା କର୍ମୀଙ୍କ ମୁଣ୍ଡ ଚକ୍କର ଖାଇଗଲା । କୋଲକାତା- ପାଟନା ମଧ୍ୟର ବିମାନଯାତ୍ରା କରୁଥିବା ଯାତ୍ରୀମାନଙ୍କ ଠାରୁ ସେ ଗତ କିଛି ମାସ ହେବ ନିୟମିତଭାବେ ଚୋରି କରୁଥିବା କହିଛି ।

ପୋଲିସ୍‌ର କହିବା ଅନୁସାରେ ସାଜିଦ୍‌ ରବିବାର କୋଚି ଯାଉଥିବା ବିନୁ ଜ୍ୟାକବ୍‌ ନାମକ ଜଣେ ଯାତ୍ରୀଙ୍କ ମନିପର୍ସ ଚୋରି କରି ନେଇଥିଲା । ଚୋରି କରିବା ପରେ ସେ ବାଥରୁମ୍‌ ଯାଇ ଅନ୍ୟ ଏକ ସାର୍ଟ ପିନ୍ଧି ଖସିଯିବାକୁ ଚେଷ୍ଟା କରିବା ବେଳେ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ପଡ଼ିଥିଲା । ପ୍ରଥମେ ଚୋରି କଥାକୁ ଅସ୍ୱୀକାର କରିଥିଲା ସାଜିଦ୍‌ ହୁସେନ୍‌ । କିନ୍ତୁ କିଛି ସମୟର ପଚରାଉଚୁରା ପରେ ସେ ସବୁ ସତ ମାନିଯାଇଥିଲା ।

Related Posts