ରାଜ୍ୟର ଋଣ ବୋଝ ଟପିବ ୯୧,୯୪୩ କୋଟି ଟଙ୍କା

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆମ ରାଜ୍ୟର ମୋଟ ଋଣଭାର ୯୧ ହଜାର ୯୪୩ କୋଟି ଟଙ୍କାକୁ ଟପିଯିବ । ଏହି ଆକଳନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ଋଣଭାର ସମ୍ପର୍କରେ ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ୭୩ ହଜାର ୬୮୪ କୋଟି ୬୬ ଲକ୍ଷ ଟଙ୍କା ଥିଲା । ୨୦୧୮-୧୯ ବର୍ଷ ଶେଷ ସୁଦ୍ଧା ଏହି ପରିମାଣ ୯୧,୯୪୩.୬୮ କୋଟି ଟଙ୍କା ହୋଇଯିବ ।

ସରକାରୀ ତଥ୍ୟ ଅନୁସାରେ,୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୪,୪୧୯.୪୧ କୋଟି ଟଙ୍କା ଋଣ ଉଠାଇଥିଲେ । ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଭିତରେ ସରକାର ୫ ହଜାର ୭୦୧ କୋଟି ୭ ଲକ୍ଷ ଟଙ୍କା ଋଣ କରିଛନ୍ତି । ଅନ୍ୟପଟେ ୨୦୦୬-୦୭ ବର୍ଷରେ ରାଜ୍ୟ ସରକାର ୧,୮୫୦.୭୪ କୋଟି ଟଙ୍କା ଋଣର ମୂଳ ଓ ୩,୧୮୮.୪୩ କୋଟି ଟଙ୍କା ସୁଧ ବାବଦରେ ପଇଠ କରିଛନ୍ତି ।

ଏଥିସହ ୨୦୧୦-୧୧ ବର୍ଷରେ ମୂଳ ପରିଶୋଧ ପାଇଁ ୨,୦୮୩.୫୯ କୋଟି ଓ ସୁଧ ବାବଦରେ ୩,୦୪୩.୧୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ଋଣ କରାଯାଇଛି । ଏହି ବର୍ଷ ୨,୬୯୦.୨୧ କୋଟି ମୂଳ ବାବଦକୁ ଓ ୪,୯୮୮.୩୪ କୋଟି ଟଙ୍କା ସୁଧ ବାବଦକୁ ସୁଝାଯାଇଛି । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ରାଜ୍ୟ ସରକାର ମାତ୍ର ୯୩୫.୧୫ କୋଟି ଟଙ୍କା ମୂଳ ଓ ୧,୭୮୯.୦୮ କୋଟି ଟଙ୍କା ସୁଧ ବାବଦରେ ପଇଠ କରିଛନ୍ତି ବୋଲ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି ।

Related Posts