ଧାର୍ମିକସ୍ଥଳରୁ ହଟାଯାଇଥିବା ଲାଉଡସ୍ପିକରକୁ ଆବଶ୍ୟକତା ଅନୁଯାୟୀ ସ୍କୁଲଗୁଡ଼ିକୁ ଯୋଗାଇ ଦିଆଯିବ: ଯୋଗୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ଅନେକ ଧାର୍ମିକସ୍ଥଳମାନଙ୍କରୁ ଯୋଗୀ ସରକାର ଲାଉଡସ୍ପିକର ହଟାଇବାରେ ଲାଗିଛନ୍ତି । ସେପଟେ ଯଦି ଅନାବଶ୍ୟକ ଲାଉଡସ୍ପିକର ସ୍ଥାପନ କିମ୍ବା ଉଚ୍ଚ ସ୍ୱରରେ ବାଜିବା ବିଷୟରେ ପୁନର୍ବାର ଅଭିଯୋଗ ଆସେ ତେବେ ସମ୍ପୃକ୍ତ ସର୍କଲର ପୋଲିସ ଅଧିକାରୀ ଡେପୁଟି କଲେକ୍ଟର ଏବଂ ଅନ୍ୟ ଅଧିକାରୀ ଏନେଇ ଉତ୍ତରଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ବିଭିନ୍ନ ଜିଲ୍ଲାରୁ ହଟାଯାଇଥିବା ଲାଉଡସ୍ପିକରକୁ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ନିକଟତମ ସ୍କୁଲଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି ଯୋଗୀ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ବେଆଇନ ଗାଡ଼ି ଷ୍ଟାଣ୍ଡକୁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ କଡ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ ଟ୍ୟାକ୍ସି ଷ୍ଟାଣ୍ଡ ସମସ୍ୟାର ସ୍ଥାୟୀ ସମାଧାନ କରିବା ସ୍ଥାନୀୟ ପ୍ରଶାସନର ଦାୟିତ୍ୱ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଷ୍ଟାଣ୍ଡଗୁଡ଼ିକ ପାଇଁ ସ୍ଥାନ ସ୍ଥିର କରାଯିବ ।

ଉଚିତ ଏବଂ ଏହିପରି ଷ୍ଟାଣ୍ଡଗୁଡ଼ିକ ନିୟମ ଅନୁଯାୟୀ କାର୍ଯ୍ୟ କରିବା ଜରୁରୀ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ବହୁ ସଂଖ୍ୟାରେ ମୃତାହତ ଘଟଣା ନେଇ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥିରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ଯତ୍ନ ନେବାକୁ ପଡ଼ିବ । ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ ପିଲାମାନଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ଶିକ୍ଷା ଦେବା ପାଇଁ ବିଶେଷ ପ୍ରୟାସ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଟ୍ରାଫିକ ନିୟମ ସମ୍ପର୍କରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ବିଶ୍ୱବିଦ୍ୟାଳୟର ପ୍ରତିନିଧିମାନଙ୍କୁ ତାଲିମ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts