ଓଡ଼ିଶାରେ ଜୁନ୍ ୧ ଯାଏଁ ବଢିଲା ଲକଡାଉନ୍ : ପୂର୍ବ ଭଳି ବଳବତ୍ତର ରହିବ ସଟଡାଉନ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଅବଧିକୁ ଜୁନ୍ ୧ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। କୋଭିଡ୍ ର ଦ୍ବିତୀୟ ଲହରରେ ସଂକ୍ରମଣ ବଢୁଥିବାରୁ ମେ’ ୫ରୁ ସରକାର ପୂରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହି ଅବଧି ଆସନ୍ତାକାଲି ଶେଷ ହେବାକୁ ଯାଉଥିବା ବେଳେ ଆଜି ଜୁନ୍ ୧ ଯାଏ ଏହାକୁ ବଢ଼ାଇ ଦିଆଯାଇଛି। ତେବେ ପୂର୍ବ ଭଳି ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ତେବେ ପୂର୍ବ ଅପେକ୍ଷା କଟକଣାକୁ ଆହୁରି କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ସୋମବାର ଠାରୁ ଶୁକ୍ରବାର ଯାଏ ୪ ଘଣ୍ଟା ମଧ୍ୟରେ ପନିପରିବା କିଣିହେବ । ପୂର୍ବରୁ ଏହି ସମୟସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି। ତେବେ ମାଲ୍ ପରିବହନ ଉପରେ ଆଉ କଟକଣା ରହିବ ନାହିଁ । ତେବେ ବିବାହରେ ବର ଓ କନ୍ୟା ସମେତ ସର୍ବାଧିକ ୨୫ ଜଣଙ୍କୁ ଅନୁମତି ଦିଆଯାଇଛି । ଭୋଜିଭାତ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି। କେବଳ ପ୍ୟାକେଟ୍ ମାଧ୍ୟମରେ ଖାଇବା ଦେଇପାରିବେ ।

ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ୧୦,୩୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୯ ଓ କଟକରୁ ୭୩୧ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ରେ ପହଞ୍ଚିଥିବା ବେଳେ ୫ ଲକ୍ଷ ୨୬ ହଜାର ୩୫୩ ଜଣ ସୁସ୍ଥ ହୋଇସାରିଛନ୍ତି। ୧ ଲକ୍ଷେ ୪ ହଜାର ୫୩୯ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୨୨ ଜଣ କରୋନା ରୋଗୀ ପ୍ରାଣ ହରାଇବା ସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି ପାଇଛି।

Related Posts