ଦ୍ୱିତୀୟ ଡୋଜ ଟିକା ନେବାକୁ ଲୋକେ ଭୁଲି ଯାଉଛନ୍ତି, ଏବେ ସୁଦ୍ଧା ମାତ୍ର ୨୮% ଲୋକେ ୨ୟ ଡୋଜ୍ ନେଇଛନ୍ତି : ପରିବାର କଲ୍ୟାଣ ନିର୍ଦ୍ଦେଶକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଗଣେଶ ପୂଜା ପର ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ପାର୍ଵଣ ଋତୁ। ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଏହି ୩ ମାସ ଭିଡ଼ ଅଧିକ ହେବ। ତେଣୁ ଏହି ସମୟରେ ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରାଯାଉଛି। ଏପରି ସ୍ଥିତିରେ ରାଜ୍ୟରେ ଟିକାକରଣ ମଧ୍ୟ ଦ୍ରୁତ ଗତିରେ ଚାଲୁଛି। ଏ ସମ୍ପର୍କରେ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ଟିକାର  ଅଭାବ ନାହିଁ।  କିନ୍ତୁ ପ୍ରଥମ ଡୋଜ ଟିକା ନେବା ପରେ ଲୋକେ ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଉଛନ୍ତି । 

ରାଜ୍ୟରେ ୬୪ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ମାତ୍ର ୨୮ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି । ତେଣୁ ୨ୟ ଡୋଜ୍ ନେଇ ନଥିବା ଲୋକଙ୍କ ତାଲିକା ଜିଲ୍ଲା ସ୍ତରରେ ପ୍ରକାଶ କରାଯିବ  ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ,  ରାଜ୍ୟରେ ଏବେ ସମୁଦାୟ ୨ କୋଟି ୬୭ ଲକ୍ଷ ଡୋଜ ଟିକା ଦିଆଯାଇଛି। ସେଥି ମଧ୍ୟରୁ ୬୪% ( ୧ କୋଟି ୯୮ ଲକ୍ଷ ) ପ୍ରଥମ ଡୋଜ ନେଇ ସାରିଛନ୍ତି। କିନ୍ତୁ ୨ୟ ଡୋଜ ମାତ୍ର  ୨୮% (୬୮ ଲକ୍ଷ) ଲୋକ ନେଇଛନ୍ତି। 

ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଦ୍ୱିତୀୟ ଡୋଜ ନେବାର ୩ ଦିନ ପୂର୍ବରୁ ସେମାନଙ୍କୁ ମେସେଜ ଯାଉଛି। ଏହାପରେ ଟିକା ପାଇଁ ନିର୍ଦ୍ଧାରିତ ଦିନ ବି ବାର୍ତ୍ତା ଯାଉଛି। ଏହାପରେ ବି ଯଦି ସେମାନେ ନ ଆସୁଛନ୍ତି ତେବେ ସେମାନଙ୍କୁ ବାରମ୍ବାର ମେସେଜ ଯାଉଛି। ତାଥାପି ବି ଯେଉଁ ଅନୁପାତରେ ଲୋକ ପ୍ରଥମ ଡୋଜ ନେବାକୁ ଆସୁଛନ୍ତି, ସେହି ଅନୁପାତରେ ଦ୍ୱିତୀୟ ଡୋଜ ନେବାକୁ ଆସୁ ନାହାନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଅତିକମ୍‌ରେ ସମସ୍ତଙ୍କୁ ପ୍ରଥମ ଡୋଜ ଦିଆଯିବାର ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। 

Related Posts