ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲା ସୁଖତବା ନଦୀ ଉପରେ ଅଘଟଣ: ଭୁସୁଡ଼ିଲା ବ୍ରିଟିଶ ଅମଳର ପୋଲ

ମଧ୍ୟପ୍ରଦେଶର : ମଧ୍ୟ ପ୍ରଦେଶର ନର୍ମଦାପୁରମ ଜିଲ୍ଲାରେ ସୁଖତବା ନଦୀ ଉପରେ ଘଟିଛି ଅଘଟଣ। ବ୍ରିଟିଶ ଅମଳର ଏକ ପୋଲ ଭୁଶୁଡି ପଡିଛି। ପୋଲ ଉପରେ ୧୨୮ ଚକା ବିଶିଷ୍ଟ ଟ୍ରାଲା ଯିବା ସମୟରେ ଏହି ଅଘଟଣ ଘଟିଛି । ଫଳରେ ଇଟାରସି-ବୈତୁଲ ସହ ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲ ଭାଙ୍ଗିବା ପରେ ଜାତୀୟ ରାଜପଥ ଉପରେ ଭୀଷଣ ଜାମ ଲାଗି ରହିଛି। ଶହ ଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି ।

ଏହି ଘଟଣା ଭୋପାଳ-ନାଗପୁର ଜାତୀୟ ରାଜପଥ ଉପରେ ଇଟାରସିର ସୁଖତବା ନଦୀ ଉପରେ ଥିବା ପୋଲରେ ଘଟିଛି। ଇଟାରସି ସ୍ଥିତ ନ୍ୟାସନାଲ ପାଓ୍ଵାର ଗ୍ରୀଡ ପାଇଁ ହାଇଦ୍ରାବାଦରୁ ଭାରି ଓଜନର ମେସିନ ଉକ୍ତ ଟ୍ରାଲାରେ ଅଣାଯାଉଥିଲା। ହାଇଦ୍ରାବାଦରୁ ଏହି ଟ୍ରାଲା ମାର୍ଚ୍ଚରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ରବିବାର ଅର୍ଥାତ ଆଜି ଇଟାରସିରେ ପହଞ୍ଚିବାର ଥିଲା। ମାତ୍ର ଇଟାରସି ପଞ୍ଚିବାର ଠିକ୍ ପୂର୍ବରୁ ଏହି ଦୁର୍ଘଟଣା ଘଟିଛି। ପୋଲ ଭାଙ୍ଗିବାରୁ ଭୋପାଳ-ନାଗପୁର ଜାତୀୟ ରାଜପଥ ଉପରେ ଲମ୍ବା ଜାମ ଲାଗିଛି। ତେବେ ଏହି ଟ୍ରାଲା କେତେ ଓଜନ କେତେ ତାହା ଆପଣ ଏଥିରୁ ଜାଣି ପାରିବେ ଯେ, ୧୬ ଏକ୍ସେଲ ବିଶିଷ୍ଟ ଏହି ଟ୍ରାଲାରେ ୧୨୮ ଚକା ଲାଗିଛି। ପ୍ରତିଟି ଏକ୍ସେଲରେ ୮ ଯୋଡା ଚକା ରହିଛି। ଟ୍ରାଲା ଉପରେ ଯେଉଁ ମେସିନ ଲଦାଯାଇଥିଲା ତାର ଓଜନ ଅନେକ ଟନ୍ ହେବ ବୋଲି କୁହାଯାଉଛି। ଟ୍ରାଲା ସହିତ ତାକୁ ଟାଣୁଥିବା ଟ୍ରକ ମଧ୍ୟ ପୋଲ ତଳକୁ ଖସି ପଡିଛି। ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ଖବର ପାଇବା ପରେ ପୋଲିସ ଘଟଣସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ରେ ଭର୍ତି କରାଇଛି । ଏଥିସହ ହୋଇଥିବା ରାସ୍ତା ଜାମକୁ ନେଇ ଲୋକଙ୍କ ଯିବା ଆସିବା ପାଇଁ ସୁବିଧା ସୃଷ୍ଟି କରିବାରେ ଲାଗିଛି ।

Related Posts