୨୪ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା ସ୍ୱୀକାର କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ: ଏପ୍ରିଲ ୧୧ରେ ନୂଆ ମନ୍ତ୍ରୀ ପରିଷଦର ହେବ ଗଠନ

ଆନ୍ଧ୍ରପ୍ରଦେଶ: ନବକଳେବର ହେବ ଆନ୍ଧ୍ରପ୍ରଦେଶର ମନ୍ତ୍ରୀ ମଣ୍ଡଳ । ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶ ପରେ ଇସ୍ତଫା ଦେଇଛନ୍ତି ୨୪ କ୍ୟାବିନେଟ୍ ମନ୍ତ୍ରୀ । ସେପଟେ ମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ରବିବାର ୨୪ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦର ୨୪ ଜଣ ମନ୍ତ୍ରୀ ଏପ୍ରିଲ ୭ ତାରିଖ ଦିନ ଔପଚାରିକ ଇସ୍ତଫା ଦେଇସାରିଥିଲେ। ମନ୍ତ୍ରୀମାନଙ୍କ ସାମୂହିକ ଇସ୍ତଫାର କାରଣ ମନ୍ତ୍ରୀମଣ୍ଡଳର ପୁନର୍ଗଠନ ବୋଲି ଏବେ ଜଣାପଡିଛି। ଏପ୍ରିଲ ୧୧ ତାରିଖ ଦିନ ନୂଆ ମନ୍ତ୍ରୀ ପରିଷଦର ଗଠନ ହେବ। ଏଥର ମନ୍ତ୍ରୀମଣ୍ଡଳ ଗଠନରେ ଜାତି ମାନଦଣ୍ଡକୁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି।

ସୂତ୍ରରୁ ମିଳୁଥିବା ସୂଚନାରୁ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳରେ କେତେକ ନୂଆ ମୁହଁଙ୍କୁ ସାମିଲ କରିପାରନ୍ତି। ବର୍ତ୍ତମାନ ମନ୍ତ୍ରୀମଣ୍ଡଳର ୪ ମନ୍ତ୍ରୀଙ୍କୁ ନୂଆ ବିଭାଗ ମିଳିପାରେ। ୩୦ ମେ ୨୦୧୯ରେ ଜଗନମୋହନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା କାଳରେ ଅଢେଇବର୍ଷରେ ମନ୍ତ୍ରୀମଣ୍ଡଳ ବଦଳାଇବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ସମୟ ପୂରଣ ହୋଇଥିବାରୁ ଜଗନମୋହନଙ୍କ ସହ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନ୍ତ୍ରୀମାନେ ସେମାନଙ୍କର ଇସ୍ତଫା ଦେଇ ଦେଇଛନ୍ତି।

ଏବେକା ମନ୍ତ୍ରୀମଣ୍ଡଳ ୮ ଜୁନ ୨୦୧୯ରେ ଦାୟିତ୍ୱଗ୍ରହଣ କରିଥିଲା। ଏହି ମନ୍ତ୍ରୀମାନେ ୮ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ମନ୍ତ୍ରୀ ରହିବା କଥା। ତେବେ କୋଭିଡ-୧୯ ସମେତ ଅନ୍ୟ କାରଣରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇପାରିନଥିଲା। ତେବେ ମୁଖ୍ୟମନ୍ତ୍ରୀ ଗତମାସରେ ତେଲଗୁ ନବବର୍ଷରେ ନୂଆ ଜିଲ୍ଲା ଗଠନ ପରେ ମନ୍ତ୍ରୀମଣ୍ଡଳର କାୟା କଳ୍ପ କରିବେ ବୋଲି ଘୋଷଣା କରିଥିଲେ। ରାଜ୍ୟରେ ଏପ୍ରିଲ ୪ ତାରିଖ ଦିନ ୧୩ ନୂଆ ଜିଲ୍ଲା ଗଠନ ହୋଇଥିଲା।

Related Posts