ମହାରାଷ୍ଟ୍ର ମହାନାଟକ: ଇସ୍ତଫା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ: ଚର୍ଚ୍ଚା ଆଶା ଓ ଆଶଙ୍କାରେ ପୂର୍ନେଚ୍ଛେତ ପଡିଲା । ଇସ୍ତଫା ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି “ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।” ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ପଦରୁ ବି ସେ ଇସ୍ତଫା ଘୋଷଣା କରିଛନ୍ତି।

ଏନେଇ ସେ କହିଛନ୍ତି ” ମୁଁ ଗୋଟେ ଅପ୍ରତ୍ୟାଶିତ ଭାବେ ସରକାର ଗଠନ କରିଥିଲି। ଏବଂ ସମାନ ଢଙ୍ଗରେ କ୍ଷମତା ଚ୍ୟୁତ ହେଲି। ତେବେ ମୁଁ ସବୁଦିନ ପାଇଁ ଯାଉ ନାହିଁ। ମୁଁ ଏଇଠି ରହିବି। ମୁଁ ପୁଣିଥରେ ଶିବସେନା ଭବନରେ ବସିବି। ମୁଁ ମୋ ଲୋକଙ୍କୁ ଏକାଠି କରିବି। ମୁଁ ମୁଖ୍ୟମନ୍ତ୍ରୀ ଓ ବିଧାନ ପରିଷଦ ପଦରୁ ଇସ୍ତଫା ଦେଉଛି।”

ଫେସ୍‌ବୁକ ପେଜ୍‌ରେ ଲାଇଭ୍ କରି ଇସ୍ତଫା ଘୋଷଣା କରିଛନ୍ତି ଉଦ୍ଧବ। ତେବେ ଇସ୍ତଫା ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ସେମାନଙ୍କର ଧନ୍ୟବାଦ ଦେଇଛନ୍ତି।

ଅନ୍ୟପଟେ ତାଜ ହୋଟେଲ୍‌ରେ ଏକାଠି ହୋଇଥିବା ବିଜେପି ନେତାମାନେ ଉତ୍ସବ ମନାଇବା ଆରମ୍ଭ କରିଦେଲେଣି। ହୋଟେଲ୍‌ରେ ଏକାଠି ହୋଇ ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ସପକ୍ଷରେ ନାରା ଲଗାଇଛନ୍ତି।

ଅନ୍ୟପଟେ, ମହାରାଷ୍ଟ୍ର ରାଜନୀତି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ରାତି ୯ଟା ବେଳେ ନିଷ୍ପତ୍ତି ଶୁଣାଣି ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍। ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ଚେଷ୍ଟା କରିବେ ଠାକରେ ସରକାର। ରାଜ୍ୟପାଳ ଡକାଇଥିବା ଆସ୍ଥା ଭୋଟ୍‌ ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତଙ୍କ ନିଷ୍ପତ୍ତିରେ ଉଦ୍ଧବ ସରକାରଙ୍କୁ ବହୁତ ବଡ ଝଟକା ଲାଗିଛି। ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେବି ପର୍ଡିଓ୍ଵାଲାଙ୍କ ପୀଠ ମାମଲାର ଶୁଣାଣି କରିଛନ୍ତି।

Related Posts