ମହାରାଷ୍ଟ୍ର ମହାନାଟକ: ଦେବେନ୍ଦ୍ର ଫଡନବୀସଙ୍କ ଅନୁରୋଧ କ୍ରମେ ଆସନ୍ତାକାଲି ହୋଇପାରେ ଫ୍ଲାେର ଟେଷ୍ଟ

ମୁମ୍ୱାଇ : ମହାରାଷ୍ଟ୍ରରେ ଜାରୀ ରହିଛି ମହାନାଟକ । ଶାସକ ଓ ବିଦ୍ରୋହୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ, ସେପଟେ ବିଜେପି ସରକାର ଗଡିବା ନେଇ ଅଣ୍ଟା ଭିଡିଚ୍ଛି । ବରିଷ୍ଠ ନେତା ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି ।

ଫଡନବୀସ ଦୃଢତାର ସହ କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ପାଖରେ ଆଉ ବହୁମତ ନାହିଁ । ବିଦ୍ରୋହୀ ହୋଇସାରିଥିବା ବିଧାୟକମାନେ ଶିବସେନାକୁ ମଧ୍ୟ ସମର୍ଥନ କରୁନାହାଁନ୍ତି ।

ଫଡନବୀସଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ଚିଠି ଲେଖାଯାଇଛି । ବିଦ୍ରୋହୀ ବିଧାୟକ କହୁଛନ୍ତି ସେମାନେ ଆଉ ଶିବସେନା ସହ ଯିବେନି । ସେମାନେ ମହାବିକାଶ ଆଘାଡି ଦଳର ସମର୍ଥନ ମଧ୍ୟ କରୁନାହାଁନ୍ତି । ଏପରି ସ୍ଥିତିରେ ରାଜ୍ୟପାଳ ଯଥାଶୀଘ୍ର ଫ୍ଲୋର ଟେଷ୍ଟ ପାଇଁ ଅଦେଶ ଦେବାକୁ ଫଡନାବୀସ୍ ଅନୁରୋଧ କରିଛନ୍ତି । ମହାରାଷ୍ଟ୍ରରେ କାଲି ହୋଇପାରେ ଫ୍ଲାେର ଟେଷ୍ଟ ।

କାଲି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରନ୍ତି ଉଦ୍ଧବ ଠକରେ । କାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ରାଜ୍ୟପାଳ । ଏହା ପୂର୍ବରୁ କିନ୍ତୁ ଉଦ୍ଧବ ଠକରେ ଇସ୍ତଫା ଦେଇପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି ।

ସୂଚନା ଥାଉକି, ଶିବସେନାରେ ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାମ୍ପ ଆଉ ଅନ୍ୟପଟେ ଗୌହାଟିରେ ଡେରା ପକାଇଥିବା ଶିବସେନାର ବିଦ୍ରୋହୀ ଏକନାଥ ସିନ୍ଧେ କ୍ୟାମ୍ପ ।

ଦୁହିଁଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । କିଏ ଅସଲି ଶିବସେନା ଆଉ କିଏ ନକଲି, ତାହାକୁ ନେଇ ଟଣାଓଟରା । ଗୌହାଟି ହୋଟେଲରେ ଡେରା ପକାଇଥିବା ଶିବସେନାର ବିଦ୍ରୋହୀ ଗୋଷ୍ଠୀର ନେତା ଏକନାଥ ସିନ୍ଧେ ପ୍ରଥମ ଥର ଲାଗି ମିଡିଆ ସାମ୍ନାକୁ ଆସି ଆକ୍ରାମକ ହୋଇଛନ୍ତି । କହିଛନ୍ତି, ଆମେ ହିଁ ଅସଲ ଶିବସେନା ।

Related Posts