ମୁମ୍ବାଇ: ମହାରାଷ୍ଟ୍ର ଜାରୀ ରହିଛି ରାଜନୈତିକ ସଂକଟ । ତେବେ ଏହାରି ମଧ୍ୟରେ ଏହି ସଙ୍କଟ ସୁପ୍ରିମକୋଟରେ ପହଞ୍ଚିଥିବା ବେଳେ, ଆବେଦନ ଉପରେ ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ।

ଏହି ଶୁଣାଣି ସମୟରେ ଆପଣମାନେ ପ୍ରଥମେ ହାଇକୋର୍ଟକୁ କାହିଁକି ଗଲେନାହିଁ ବୋଲି ସୁପ୍ରିମକୋର୍ଟ ପଚାରିବାରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକଙ୍କ ପକ୍ଷରୁ ହାଜ ହୋଇଥିବା ଓକିଲ ନୀରଜ କେ କୌଲ୍‌ କହିଥିଲେ- ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି।

ତେବେ ଦୁଇ ପକ୍ଷରୁ ଯୁକ୍ତି ଶୁଣିବା ପରେ ଏବେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରାୟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସମସ୍ତ ପକ୍ଷଙ୍କୁ ପାଞ୍ଚ ଦିନ ମଧ୍ୟରେ ଦିଆଯାଇଥିବା ନୋଟିସର ଜବାବ ଦେବାକୁ କୁହାଯାଇଛି। ତେବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯେଉଁମାନଙ୍କୁ ନୋଟିସ୍ ଦିଆଯାଇଛି, ସେମାନଙ୍କ ମଧ୍ୟରେ ଉପବାଚସ୍ପତି, ବିଧାନସଭା ସଚିବ, କେନ୍ଦ୍ର ସରକାର, ମହାରାଷ୍ଟ୍ର ପୁଲିସ, ଶିବସେନା ବିଧାୟକ ଦଳର ନେତା ଅଜୟ ଚୌଧୁରୀ, ସୁନୀଲ ପ୍ରଭୁ ଇତ୍ୟାଦି ସାମିଲ ଅଛନ୍ତି।

ବିଦ୍ରୋହ କରି ଶିବସେନାରୁ ଅଲଗା ହୋଇଯାଇଥିବା ବିଧାୟକମାନେ ସୁପ୍ରିମ୍‌ କୋର୍ଟରେ ଦୁଇଟି ପିଟିସନ୍‌ ଦାଖଲ କରିଛନ୍ତି। ଗୋଟିଏ ୧୬ଜଣ ବିଧାୟକଙ୍କୁ ଉପବାଚସ୍ପତି ନରହରି ଜିର୍‌ୱାଲ୍‌ ପଠାଇଥିବା ଆଯୋଗ୍ୟତା ନୋଟିସ୍‌ ଏବଂ ଆରଟି ବିଦ୍ରୋହୀ ବିଧାୟକମାନଙ୍କୁ ଶିବ ସୈନିକମାନେ ଦେଉଥିବା ଧମକ ପ୍ରସଙ୍ଗ। ଆଜି ଏହାର ଶୁଣାଣି କରି ‌ନୋଟିସ ଜାରି କରାଯାଇଥିବା ବେଳେ ଜୁଲାଇ ୧୧ରେ ଏନେଇ ଶୁଣାଣି ହେବ।