ସଙ୍କଟରେ ମହାରାଷ୍ଟ୍ରର ମେଣ୍ଟ ସରକାର: ଉଦ୍ଧବ ଡାକିଲେ ଜରୁରୀ ବୈଠକ

ମୁମ୍ବାଇ : ଚିନ୍ତାରେ ମହାରାଷ୍ଟ୍ର ସରକାର । ସଂକଟ ମଧ୍ୟରେ ମହାରାଷ୍ଟ୍ରର ମେଣ୍ଟ ସରକାର । ବିଧାନ ପରିଷଦ ନିର୍ବାଚନ ପରେ ଚିନ୍ତାରେ ଉଦ୍ଧବ ସରକାର । ଠାକ୍‌ରେଙ୍କ ସରକାର ଉପରେ ପୁଣି ଛାଇଛି କଳାର ବାଦଲ ।

ଅଚାନକ ୨୦ ରୁ ୨୫ ଶିବସେନା ବିଧାୟକଙ୍କ ପତ୍ତା ମୁଳିନାହିଁ । ବରିଷ୍ଠ ନେତା ତଥା ସହରୀ ବିକାଶ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଏହି ବିଧାୟକମାନେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି । ସେପଟେ ସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ତେବେ ମିଳିଥିବା ତଥ୍ୟଅନୁସାରେ, ଆଉଟ୍ ଅଫ୍‌ ରିଚ ଥିବା ସମସ୍ତ ୨୫ ବିଧାୟକ ଏବେ ଗୁଜୁରାଟରେ ଅଛନ୍ତି । ସୁରତର ଏକ ହୋଟେଲରେ ସମସ୍ତେ ରହିଛନ୍ତି । ସହରୀ ବିକାଶ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ବିଧାୟକ ଶ୍ରୀନିବାସ ବନଗା, ଆଳିବାଗର ବିଧାୟକ ମହେନ୍ଦ୍ର ଦଲବୀ, ଭିମ୍ବଡି ଗ୍ରାମୀଣର ବିଧାୟକ ସାନ୍ଥାରାମ ମୋରେ ଆଦି ପ୍ରମୁଖ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ବି ବିଜେପିକୁ ବଡ଼ ବିଜୟ ମିଳିଛି । ବିଜେପି ୧୦ଟି ଆସନରୁ ପାଞ୍ଚଟିରେ ବିଜୟ ହୋଇଛି । ତେବେ ଏହି ନିର୍ବାଚନରେ ସବୁଠୁ ବଡ଼ କଥା ହେଲା କି, ଶିବସେନା ଓ କଂଗ୍ରେସ କ୍ରସ ଭୋଟିଂ କରିଛନ୍ତି । ଯାହାଦ୍ୱାରା ବିଜେପିର ପଲ୍ଲା ଭାରି ହୋଇଯାଇଛି । ନିର୍ବାଚନ ଫଳ ଓ କ୍ରସ ଭୋଟିଂକୁ ନେଇ ଦଳ ସହିତ ଅସନ୍ତୁଷ୍ଟ ଥିଲେ ଏକନାଥ ସିନ୍ଦେ । ଯାହାକୁ ନେଇ ସେ ଏପରି ବିଦ୍ରୋହ କରିଥିବା ସୂଚନା ମିଳୁଛି ।

ସେପଟେ ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜରୁରୀ ବୈଠକ ଡାକିଛନ୍ତି । ଏହି ବୈଠକରେ ଦଳର ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳ ମୁଖିଆ ।

Related Posts