ରାଜଧାନୀରେ ଗୁଣ୍ଡାରାଜ: ଏକ ସ୍କର୍ପିଓରେ ନିଆଁ ଲଗାଇ ଦେଲେ ୧୦ରୁ ଊର୍ଦ୍ଧ୍ୱ ଯୁବକ

ଭୁବନେଶ୍ୱର: ରାଜଧାନୀରେ ଗୁଣ୍ଡାରାଜ । ବ୍ୟସ୍ତବହୁଳ ରାସ୍ତାରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯୁବକ ମଚାଇଥିଲେ ଉତ୍ପାତ । ଏକ ସ୍କର୍ପିଓରେ ନିଆଁ ଲଗାଇ ଦେଇଛନ୍ତି । ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଗାଡ଼ି। ମାତ୍ର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲା ବେଳକୁ ସବୁ କିଛି ସରିଯାଇଛି । ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ରାଜଧାନୀର ଡେଲଟା ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଗତକାଲି ସନ୍ଧ୍ୟାରେ ଘଟିଛି ଏପରି ଅଭାବନୀୟ ଘଟଣା ।

ମାତ୍ର କିଏ ଓ କାହିଁକି ନିଆଁ ଲଗାଇଲା ଜଣାପଡିନାହିଁ । ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖିଛି।

ଏହି କାଣ୍ଡ ପଛରେ କେବିଏନ୍‌ ଗ୍ରୁପ ସଦସ୍ୟ ସାମିଲ ଥିବା ଅନୁମାନ କରାଯାଉଛି। ସେମାନେ ପୁଣି ଥରେ ନିଜ ଦବଦବା ଜାହିର କରିବାକୁ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଘଟଣା ପରେ ରାଜଧାନୀର କମିଶନରେଟ ପୁଲିସ୍‌ର ପାରିବାପଣିଆ ଉପରେ ଉଠିଛି ପ୍ରଶ୍ନ ।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଗତକାଲି ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀଙ୍କ ଗୋଟିଏ ଗାଡିକୁ ରାସ୍ତା ଉପରେ ହିଁ ଜାଳିଦେଲେ। ତେବେ ଗାଡ଼ିଟି କାହାର, ମାଲିକ କେଉଁଠି ସେ ନେଇ ମଧ୍ୟ ମିଳିପାରିନି ସୂଚନା ।

ପୁଲିସ୍‌ ଏହି ଘଟଣାର ଖୋଳତାଡ଼ କରୁଥିବା ବେଳେ ସ୍କର୍ପିଓରେ ନିଆଁ ଲାଗିବା ପୂର୍ବର ଭିଡିଓ ସାମନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି, ପ୍ରାୟ ୫ରୁ ୧୦ ଜଣ ଦୁର୍ବୃତ୍ତ ଗାଡି ପାଖକୁ ଆସି ହୋହାଲ୍ଲା କରୁଛନ୍ତି । ଏହାପରେ ସେମାନେ ଗାଡିକୁ ଭଙ୍ଗାରୁଜା କରୁଛନ୍ତି ।

Related Posts