ଓଏଏସ ସ୍ତରରେ ବଡଧରଣର ଅଦଳବଦଳ : ୪୩ ଅଫିସରଙ୍କ ବଦଳି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଓଏଏସ୍ ସ୍ତରରେ ବୁଧବାର ଏକ ବଡ ଧରଣର ଅଦଳବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ସମେତ ମୋଟ ୪୩ଜଣ ଓଏଏସ୍ ଅଫିସରଙ୍କ ବଦଳି କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ତହସିଲଦାର ସ୍ତରରେ ୩୯ଜଣ ଜୁନିୟର ପାହ୍ୟାର ଓଏଏସ୍ ଅଫିସରଙ୍କ ବଦଳି କରାଯାଇଛି ।

ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ପରିବହନ ବିଭାଗକୁ ଡେପୁଟେସନରେ ପଠାଯାଇଥିବାବେଳେ ୯ଜଣଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି। ଅନ୍ୟ ଅଫିସରମାନେ ବିଭିନ୍ନ ସ୍ଥାନରେ ତହସିଲଦାର ଭାବେ ବଦଳି ହୋଇଛନ୍ତି।

ସେହିପରି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳସଚିବ ତଥା ବର୍ତ୍ତମାନ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ସୀତାରାମ ପଟେଲଙ୍କୁ ଆଇଜି (କାରାଗାର) ଭାବେ ବଦଳି ହୋଇଛି। ସମ୍ବଲପୁର ମହାନଗର ନିଗମର ପୂର୍ବତନ କମିଶନର ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ଆରଡିସି କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ମା’ ସମଲେଶ୍ୱରୀ ମନ୍ଦିର ଅଂଚଳ ପରିଚାଳନା ଯୋଜନାର ଓଏସଡି ଭାବେ କାର୍ଯ୍ୟ କରିବେ।

ଗଞ୍ଜାମର ଡେପୁଟି କଲେକ୍ଟର ବିଜୟାନନ୍ଦ ସେଠୀଙ୍କୁ ପାଟଣାଗଡ଼ ଉପଜିଲ୍ଲାପାଳ କରାଯାଇଥିବା ବେଳେ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଡୁଙ୍କୁ ମାଲକାନଗିରି ଉପଜିଳ୍ଲାପାଳ ଭାବେ ବଦଳି କରାଯାଇଛି।

Related Posts