(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ମାମଲାକୁ ନେଇ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୀମାବର୍ତ୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତି ଜିଲ୍ଲାରେ ଦେଖାଦେଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱି’ପାକ୍ଷିକ ଆଲୋଚନା ହେଉ। ଏଥିସହିତ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ୱା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ୪ଟି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ୨୦ଟି ଗାଁରୁ ଆରମ୍ଭ ହୋଇଥିବା ବିବାଦ ଏବେ ସୀମାବର୍ତୀ ଅଂଚଳ ଗଜପତି ଜିଲ୍ଲାକୁ ମଧ୍ୟ ବ୍ୟାପିଛି । ଏହା ଦ୍ୱାରା ଆନ୍ତରାଜ୍ୟ ସୀମା ବିବାଦ ସୃଷ୍ଟି ହେଉଛି ଯାହା ଗଭୀର ଚିନ୍ତାଜନକ । ଏହି ସବୁ ବିବାଦ ଦ୍ୱାରା ଆନ୍ଧ୍ର ଏବଂ ଓଡ଼ିଶାର ସୀମାବର୍ତୀ ଗାଁର ସୁରକ୍ଷା ଏବଂ ଅଂଚଳବାସୀଙ୍କ ବିକାଶମୂଳକ ଆକାଂକ୍ଷାରେ କ୍ଷତି ପହଁଚାଉଛି ।
ଏହି ସୀମା ବିବାଦର ସମାଧାନ କରିବା ସମୟସାପେକ୍ଷ ଏବଂ ଏହାକୁ ସମାଧାନ କରିବା ପାଇଁ ଉଚ୍ଚ ସ୍ତରରେ ପରିପକ୍ୱ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ, ବୁଝାମଣା ତଥା ସହଯୋଗର ଆବଶ୍ୟକତା ରହିଛି । ତୃଣମୂଳ ସ୍ତରରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଲୋଚନା ମାଧ୍ୟମରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି ।
୪ଟି ପ୍ରସ୍ତାବ କଣ କଣ ?
ପ୍ରଥମ ପ୍ରସ୍ତାବଟି ହେଉଛି ବିବାଦୀୟ ଗ୍ରାମ ଗୁଡ଼ିକରୁ ସଶସ୍ତ୍ର ସୁରକ୍ଷା ବଳକୁ ଅପସାରଣ କରାଯାଉ ଏବଂ ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯାଉ ।
ଦ୍ୱିତୀୟରେ ଗ୍ରାମାଞ୍ଚଳର ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଓ ମୌଳିକ ସୁବିଧାକୁ ବାଦ ଦେଇ ନୂତନ ଢ଼ାଂଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ।
କେନ୍ଦ୍ରମନ୍ତ୍ରୀ ଦେଇଥିବା ତୃତୀୟ ପ୍ରସ୍ତାବଟି ହେଉଛି ଏହି ବିବାଦରେ ଆଗାମୀ ଦିନର ରୋଡ଼ମ୍ୟାପ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଉ ।
ଏବଂ ଚତୁର୍ଥଟି ହେଉଛି ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ୱା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ ୱାର୍କିଂ କମିଟି ବା ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯାଉ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, “ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଐତିହାସିକ ଦୃଷ୍ଟିରୁ ବିକାଶମୁଖୀ ଆହ୍ୱାନ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମାନ ଭାବେ ଅଂଶୀଦାର। ଉଭୟ ରାଜ୍ୟ ପୂର୍ବଘାଟିରେ ଥିବା ପାହାଡ଼ିଆ ଅଂଚଳରେ ଲୋକଙ୍କ ଜୀବନକୁ ସୁଗମ କରିବା ପାଇଁ ସଂଯୋଗ ସ୍ଥାପନ, ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି। ଏହି ବିକାଶମୂଳକ ପଦକ୍ଷେପ ଗୁଡିକ ବାମପନ୍ଥୀ ଉଗ୍ରବାଦୀ ଦ୍ୱାରା ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ଫଳପ୍ରଦ ସାବ୍ୟସ୍ତ ହୋଇଛି।”
କେନ୍ଦ୍ରମନ୍ତ୍ରୀ ଏଥିରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, “ସୀମାବର୍ତ୍ତୀ ଗ୍ରାମାଞ୍ଚଳରେ ଶାନ୍ତି ଫେରାଇବା ଓ ବାମପନ୍ଥୀ ଉଗ୍ରବାଦୀ ଉପଦ୍ରବକୁ ଦମନ କରିବା ପାଇଁ ପ୍ରଶାସନ, ପୁଲିସ ଓ ସୁରକ୍ଷା ବଳ, ରାଜନେତା ଏକଜୁଟ ହୋଇ କାମ କରୁଛନ୍ତି। କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆନ୍ତଃରାଜ୍ୟ ସୀମାକୁ ନେଇ ଏକ ବିବାଦ ସୃଷ୍ଟି ହେବା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସବୁ ବିବାଦ ଦ୍ୱାରା ଏହି ଅଞ୍ଚଳରେ ଅନେକ ବର୍ଷ ଧରି ହୋଇଥିବା ବିକାଶମୂଳକ କାର୍ଯ୍ୟ ଦିଗହରା ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତି ଉଭୟ ରାଜ୍ୟର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସ୍ୱାର୍ଥ ଉପରେ ମଧ୍ୟ କୁପ୍ରଭାବ ପକାଇ ଲୋକଙ୍କ ଆସ୍ଥା ହରାଇବ।”